୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧:  ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ ପୁନର୍ବାର ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧାନକିଣାକୁ ସୁଚାରୁରୂପେ ସମ୍ପନ୍ନ ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ଚାଷୀ ଯେପରି ଧାନ ବିକ୍ରୟରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ତତ୍ପର ରହିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଚାଷୀମାନେ ପ୍ରାୟ ୧୫ ଦିନ ହେବ ଅମଳ ସାରିଥିବାବେଳେ ନିଜ ଅଭାବ ଅନଟନ ପାଇଁ ଦଲାଲ ପାଖରେ ୧୫୦୦ରୁ ୧୬୦୦ ଟଙ୍କାରେ ବିକ୍ରି କରି ସାରିଛନ୍ତି। ଏପର ିକି ଜିଲାର କେତେକ ମିଲ୍‌ରେ ଧାନ ଗଦା ହୋଇଥିବା ଚର୍ଚ୍ଚା ହେଉଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛି।
ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ୧୫ ଦିନର ଆଗୁଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ସମବାୟ ସମିତି ସମ୍ପାଦକ ଏବଂ ଧାନକିଣାରେ ନିୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ସମ୍ପୃକ୍ତ ମିଲରମାନେ ଗାଡ଼ି ଯୋଗାଇ ଦେବାର ବ୍ୟବସ୍ଥା କରିବେ। ଧାନ ମଣ୍ଡିଗୁଡିକରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ପିଇବା ପାଣି ଓ ଟେଣ୍ଟର ବ୍ୟବସ୍ଥା କରାଯିବ। ଚାଷୀମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମଣ୍ଡିରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଯତ୍ନବାନ ହେବାକୁ ଅତିରିକ୍ତ ଜିଲାପାଳ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ସମିତି ସମ୍ପାଦକ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ଚାଷୀମାନଙ୍କୁ ଅଖାରେ ମଣ୍ଡିକୁ ଧାନ ଆଣିବା ଲାଗି ସଚେତନ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲା ଯୋଗାଣ ଅଧିକାରୀ ସଲାଊଦ୍ଦିନ ଖାଁଙ୍କ ସମେତ ସହକାରୀ ସମବାୟ ସମିତି ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ମିଶନଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ, ସହକାରୀ ଯୋଗାଣ ଅଧିକାରୀ, ମିଲର, ସମବାୟ ସମିତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନେ ଯୋଗଦେଇଥିଲେ।