Categories: ଫୁରସତ

ପ୍ରଶଂସା ସାଉଁଟୁଛି ଷ୍ଟେଶନ ସୌନ୍ଦର୍ଯ୍ୟକରଣ

ତିରୁର୍‌(କେରଳ): କରୋନା ପରିସ୍ଥିତିରେ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଛି। ଏହା ଦେଶର ପର୍ଯ୍ୟଟନକୁ ଗୁରୁତରଭାବେ ପ୍ରଭାବିତ କରିଛି। ତେବେ ଭାରତୀୟ ରେଲଓ୍ବେ ପକ୍ଷରୁ ଏବେ ବିଭିନ୍ନ ରେଳଷ୍ଟେଶନର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହା ଅନେକ ଲୋକଙ୍କୁ ବିମୋହିତ କରିଛି। ସଦର୍ନ ରେଲଓ୍ବେ ପକ୍ଷରୁ କେରଳର ତିରୁର୍‌ ରେଲଓ୍ବେ ଷ୍ଟେଶନରେ ବିଭିନ୍ନ କିସମର ସୁନ୍ଦର ସୁନ୍ଦର ଗଛ ଲଗାଯାଇଛି। ଷ୍ଟେଶନ ମାଷ୍ଟରଙ୍କ ରୁମ୍‌ ସମ୍ମୁଖରୁ ଆରମ୍ଭକରି ଷ୍ଟେଶନର ବିଭିନ୍ନ ସ୍ଥାନରେ ଏପରି ରଙ୍ଗବେରଙ୍ଗର ଗଛ(ପଟେଡ୍‌ ପ୍ଲାଣ୍ଟ) ଷ୍ଟେଶନର ସୌନ୍ଦର୍ଯ୍ୟ ବୃଦ୍ଧିକରୁଛି। ବିଭିନ୍ନ ସ୍ଥାନରେ ଝୁଲନ୍ତା ଗଛ ମଧ୍ୟ ଲଗାଯାଇଛି। ସୋମବାର ଷ୍ଟେଶନର କେତୋଟି ଫଟୋ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ରେଲଓ୍ବେର କାର୍ଯ୍ୟକୁ ଅନେକ ଟୁଇଟର ବ୍ୟବହାରକାରୀ ପ୍ରଶଂସା କରିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ନିଶ୍ଚିତଭାବେ ଆମେ ଏହି ସୌନ୍ଦର୍ଯ୍ୟକୁ ପାଖରୁ ଉପଭୋଗ କରିବାକୁ ଚାହିଁବୁ ବୋଲି କେତେଜଣ ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଦେଶର ଅନ୍ୟ ଷ୍ଟେଶନଗୁଡ଼ିକୁ ମଧ୍ୟ ଏପରି ସୌନ୍ଦର୍ଯ୍ୟକରଣ କରାଯାଉ ବୋଲି ମତ ରଖିଛନ୍ତି। ସେହିପରି ଆଉ କେତେଜଣ ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ନେବାପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଏପରିକି ପ୍ରତ୍ୟେକ ବର୍ଷ ‘ବେଷ୍ଟ ଗ୍ରୀନ୍‌ ଷ୍ଟେଶନ’ ପ୍ରତିଯୋଗିତା କରିବା ପାଇଁ ମଧ୍ୟ ଜଣେ ଟୁଇଟର ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ରେ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ କର୍ନାଟକର ହୁବ୍‌ଲି ଷ୍ଟେଶନର ମଧ୍ୟ ଫଟୋ ଶେୟାର କରାଯାଇଥିଲା। ‘ମଡର୍ନ ଲୁକ୍‌ ଅଫ୍‌ ହୁବ୍‌ଲି ରେଲଓ୍ବେ ଷ୍ଟେଶନ’ କ୍ୟାପ୍‌ଶନ ଉଲ୍ଲେଖ ରହିଥିବା ଫଟୋରେ ଷ୍ଟେଶନର ସମ୍ମୁଖଭାଗର ବିଭିନ୍ନ ରଙ୍ଗର ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ନଜରକୁ ଆସିଥିଲା। ଏହାକୁ ମଧ୍ୟ ଟୁଇଟରରେ ଅନେକ ଲୋକ ପ୍ରଶଂସା କରିଥିଲେ। ଷ୍ଟେଶନର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ନିଶ୍ଚିତଭାବେ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଇଛି।

Share