କୋଭିଡ୍‌ରେ କୋଲିନ ପଓ୍ବେଲଙ୍କ ପରଲୋକ

ଓ୍ବାଶିଂଟନ, ୧୯।୧୦: ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କୋଲିନ ପଓ୍ବେଲଙ୍କର ସୋମବାର କୋଭିଡ୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କ ପ୍ରଶାସନରେ ୨୦୦୧ ଜାନୁୟାରୀରୁ ୨୦୦୫ ଜାନୁୟାରୀ ପର୍ଯ୍ୟନ୍ତ ପରରାଷ୍ଟ୍ର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରପ୍ରାପ୍ତ ୪-ଷ୍ଟାର ଜେନେରାଲ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
୧୯୯୧ ଉପସାଗରୀୟ ଯୁଦ୍ଧ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ପଓ୍ବେଲଙ୍କ ଲୋକପ୍ରିୟତା ଓ ସମ୍ମାନ ଏତେ ବଢ଼ିଯାଇଥିଲା ଯେ, ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହେବା ଲାଗି ତାଙ୍କୁ ପ୍ରାର୍ଥୀ କରାଗଲେ ସର୍ବାଧିକ ସମର୍ଥନ ମିଳିବା ନେଇ ବିଚାର କରାଯାଉଥିଲା। ତେବେ ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ନ ହେବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ସେ ବାରାକ୍‌ ଓବାମାଙ୍କୁ ସମର୍ଥନ ଜଣାଇଥିଲେ। ପଓ୍ବେଲଙ୍କ ମାତାପିତା ଜାମାଇକାରୁ ଆସି ଆମେରିକାରେ ରହୁଥିଲେ। ପଓ୍ବେଲ ୧୯୩୭ ଏପ୍ରିଲରେ ନ୍ୟୁୟର୍କ ନିକଟବର୍ତ୍ତୀ ହାରଲେମରେ ଜନ୍ମଗ୍ରହଣ କରିଥିଲେ। ଭିଏଟ୍‌ନାମ ଯୁଦ୍ଧ ପରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ସମୟରେ ସେ ଆମେରିକାର ପ୍ରଥମ କୃଷ୍ଣକାୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ସମୟରେ ସେ ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଅଧ୍ୟକ୍ଷ ହୋଇଥିଲେ।

Share