ଦାରିଙ୍ଗବାଡ଼ିରେ ପୁଣି ଶୀତର ପ୍ରକୋପ: ନିଆଁ ଲଗାଇ ବସୁଛନ୍ତି ଲୋକେ

ଦାରିଙ୍ଗବାଡ଼ି,୨୦।୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର  କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲା ଅଞ୍ଚଳରେ ପାଗ କୋହଲା  ରହୁଛି। ବର୍ଷା ଯୋଗୁ ଶୀତର ପ୍ରକୋପ ବୃଦ୍ଧି ପାଇ ହଠାତ ତାପମାତ୍ରା ହ୍ରାସ ଘଟି ଦିନ ଓ ରାତିରେ ପ୍ରବଳ ଜାଡ଼ ହେଉଛି ।
ବୁଧବାର ସର୍ବନିମ୍ନ ତାପମାତ୍ରା ୧୨. ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ  ବର୍ଷା ୬୬ ମି.ମି ରେକର୍ଡ କରାଯାଇଛି ବୋଲି  ବିଡିଓ ଗଦାଧର ପାତ୍ର କହିଛନ୍ତି।  ବିଭିନ୍ନ ଦୁର୍ଗମ ଅଞ୍ଚଳ ସମେତ ପ୍ରମୁଖ ବଜାର ମଧ୍ୟରେ ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, ସିମନବାଡି ଓ ବୁଡ଼ାଗୁଡା  ଜନଶୂନ୍ୟ ହୋଇପଡିଛି। କାମ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି । ବର୍ଷା ଯୋଗୁ ଚାଷୀକୂଳ ମଧ୍ୟରେ ଖୁସିରଲହରୀ ଦେଖାଯାଇଛି । ହଳଦୀ ଚାଷୀଙ୍କ ପାଇଁ ବର୍ଷା ଖୁସି ଆଣିଥିବା ବେଳେ ପନିପରିବା, ଆମ୍ବ, ଲିଚୁ ଚାଷୀଙ୍କ ମଧ୍ୟରେ ଖୁସି ଦେଖାଯାଇଛି । ମାଟିଟାଣ ଯୋଗୁ ହଳଦୀ ଖୋଳିବା କଷ୍ଟ ହେଉଥିଲା, ଏବେ ବର୍ଷା ଯୋଗୁ ମାଟି ନରମିଛି ଫଳରେ ହଳଦୀ ଖୋଳି ଅମଳ କରିବା ସହଜ ବୋଲି ଚାଷୀମାନେ କହିଛନ୍ତି। ଅଞ୍ଚଳରେ ଘଡଘଡି ସହ ବର୍ଷା ଲାଗିରହିଛି ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେସ୍ଥାନେ ଲୋକେ ନିଆଁ ଲଗାଇ ବସୁଛନ୍ତି।