ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଗୁରୁବାର ବଡ଼ଦିନଠାରୁ ରାଜ୍ୟରେ ଥଣ୍ଡାର ପରିମାଣ ଆହୁରି ବଢ଼ିବ। ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗୁରୁବାରଠାରୁ ୨୯ ତାରିଖ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ପ୍ରବଳ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି ପ୍ରାତଃ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସୋନପୁର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ବୌଦ୍ଧ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡା ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଶୁକ୍ରବାର, ଶନିବାର ଓ ରବିବାର ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସୋନପୁର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ବୌଦ୍ଧ ଓ ଜଗତ୍ସିଂହପୁର ଜିଲା ଆଦିକୁ ସତର୍କ କରାଯାଇଛି।


