କଫି ଚାଷୀ କ୍ଷତିରେ

କୋରାପୁଟ ଅଫିସ୍‌, ୨୭।୧୦: ଇଟାଲିର ଇଲି କାଫେ, ଆମେରିକାର ଷ୍ଟାରବକ୍ସ ଭଳି ନାମୀଦାମୀ ବ୍ରାଣ୍ଡ୍‌ ସହ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଲାଣି କୋରାପୁଟ କଫି। ହେଲେ ଏହାର ମାନ ବୃଦ୍ଧି ପାଇଁ ଚାଷୀଙ୍କୁ ଆବଶ୍ୟକ ତାଲିମ୍‌, ପ୍ରୋତ୍ସାହନ ମିଳୁପାରୁନାହିଁ। ସର୍ବୋପରି ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ କ୍ଷତି ସହୁଛନ୍ତି। ଅଥଚ ପ୍ରକ୍ରିୟାକରଣ ପରେ କାଫେରେ ପହଞ୍ଚତ୍ଗଲେ ବଢ଼ିଯାଉଛି ଏହାର ମୂଲ୍ୟ। ଚାଷୀଙ୍କଠାରୁ ଶାଗମାଛ ଦରରେ କଞ୍ଚାମାଲ କିଣାଯାଉଥିବାବେଳେ ୨୦ରୁ ୨୫ ଗ୍ରାମ୍‌ କଫି ଗୁଣ୍ଡରୁ ପ୍ରସ୍ତୁତ କପେ କଫି ୪୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଛି।

ରାଜ୍ୟ ସରକାର ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ (ଟିଡିସିସି) ଜରିଆରେ ଚାଷୀଙ୍କଠାରୁ ପାଚିଲା କଫି ଫଳ କିଲୋଗ୍ରାମ ପିଛା ୩୫ରୁ ୪୫ ଟଙ୍କାରେ ନେଉଛନ୍ତି। ଏହି ଦର କର୍ନାଟକ, କେରଳରେ ୬୫ରୁ ୭୫ ଟଙ୍କା। କଫି ପ୍ରୋସେସିଂ ପରେ ଏକ କେ.ଜି.ରୁ ପ୍ରାୟ ୪୫୦ ଟଙ୍କା ଲାଭ ମିଳୁଛି। ଉକ୍ତ ଲାଭାଂଶର ଅନୂ୍ୟନ ୩୦% ସ୍ଥାନୀୟ ଚାଷୀଙ୍କୁ ଦେବା ଆବଶ୍ୟକ ବୋଲି ଓଡ଼ିଶା କଫି ଗ୍ରୋୟର୍ସ ଆସୋସିଏଶନ (ଓସିଜିଏ) ଉପସଭାପତି ତଥା କଫି ଚାଷୀ ସୁଜୟ ପ୍ରଧାନ କୁହନ୍ତି। ଆଦିବାସୀ କଫି ଚାଷୀ ଗୁପ୍ତ ହନ୍ତାଳ କୁହନ୍ତି, କର୍ନାଟକ ଓ କେରଳ ଭଳି ଏଠାରେ ମଧ୍ୟ ସମାନ ଦର ପ୍ରଦାନ କରିବା ଉଚିତ। କଫି ବିକ୍ରିର ଲାଭାଂଶକୁ ଚାଷୀଙ୍କୁ ଦେବା ସହ ଜିଲାରେ ଦ୍ୱିତୀୟ କଫି ପ୍ରକ୍ରିୟାକରଣ ୟୁନିଟ୍‌ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି।

ବିଶ୍ୱ ବଜାରର ୬୦%ରୁ ଊର୍ଦ୍ଧ୍ୱ ଚାହିଦା ପୂରଣ କରୁଥିବା ପୃଥିବୀର ସର୍ବପୁରାତନ ତଥା ସ୍ବତନ୍ତ୍ର ସ୍ବାଦ ପାଇଁ ଆରବିକା କଫି ଜଣାଶୁଣା। କୋରାପୁଟରେ ଏହା ଉତ୍ପାଦନ ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ୧୯୩୦ରେ ପରୀକ୍ଷାମୂଳକ ଭାବେ ବିଛଲକୋଟା ଅଞ୍ଚଳରେ ଏହି ଚାଷ ଆରମ୍ଭ ହୋଇଥିଲା। ଏହାପରେ ଲମତାପୁଟ, ନନ୍ଦପୁର, ଦଶମନ୍ତପୁର, କୋରାପୁଟ, ଛୋଟାଗୁଡ଼ା, ପୋଡ଼ାଗଡ଼, ଦାମନଯୋଡ଼ି, ପାଡୁଆ, ଚାଟୁଆ ଅଞ୍ଚଳକୁ ଏହା ପରିବ୍ୟାପ୍ତ ହୋଇଛି। କୋରାପୁଟ କଫି ବିକାଶ ପରିଷଦଠାରୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଜିଲାର ମୋଟ ୩,୦୮୬ ହେକ୍ଟର ଜମିରେ କଫି ଚାଷ ହେଉଛି। ୫ ବର୍ଷରେ ଏହାକୁ ୫୦୦୦ ହେକ୍ଟରକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ୩,୦୪୬ ଆଦିବାସୀ ଚାଷୀ କଫିରେ ମନୋନିବେଶ କରିଥିଲେ। ସେମାନେ ୨,୦୮୯ ହେକ୍ଟର ଜମିରୁ ୨୨୦ ମେଟ୍ରିକ୍‌ ଟନ୍‌ କଫି ଉପତ୍ାଦନ କରିଥିଲେ। ସେହିପରି ୧୨୬ ଅଣ ଆଦିବାସୀ ଚାଷୀ ୮୯୬ ହେକ୍ଟରରୁ ୩୭୦ ମେଟ୍ରିକ୍‌ ଟନ୍‌ କଫି ଉପତ୍ାଦନ କରିଥିଲେ। କୋରାପୁଟ କଫିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ମିଳିବା ପରେ ଅନ୍‌ଲାଇନ୍‌ ମାର୍କେଟିଂ ପ୍ଲାଟ୍‌ଫର୍ମ ଆମାଜନ୍‌ରେ ଏହା ଉପଲବ୍ଧ ହୋଇଛି। ୨୫୦ ଗ୍ରାମ୍‌ ବିଶିଷ୍ଟ ଅର୍ଗାନିକ୍‌ ନେଚୁରାଲ ଗ୍ରୋନ୍‌ କୋରାପୁଟ କଫିକୁ ଆମାଜନ ଏବେ ୩୪% ରିହାତି ଦେଇ ୨୯୯ ଟଙ୍କାରେ ବିକ୍ରି କରୁଛି।

ସେହିପରି କୋରାପୁଟ କଫିର ମାର୍କେଟିଂ ଦାୟିତ୍ୱ ତୁଲାଉଥିବା ଟିଡିସିସି ପକ୍ଷରୁ ଭୁବନେଶ୍ୱରରେ ୨ଟି, କୋରାପୁଟ ଏବଂ ପୁରୀରେ ଗୋଟିଏ ଲେଖାଏ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ତେବେ ଉତ୍ପାଦନ ସ୍ଥଳରେ ମାତ୍ର ଗୋଟିଏ ଅଫ୍‌ଲାଇନ୍‌ ଷ୍ଟୋର ଖୋଲାଯିବା ଏହାର ଖୁଚୁରା ବିକ୍ରି ପ୍ରୋତ୍ସାହନ ପ୍ରତି ଉପହାସ ବୋଲି ଆଲୋଚନା ହେଉଛି। ଅନ୍ୟ ଏକ ମଞ୍ଜ କଥା ହେଉଛି, ଟିଡିସିସିର କ୍ରୟ ଏବଂ ବିକ୍ରୟ ମଧ୍ୟରେ ଆକାଶ ପାତାଳର ତଫାତ୍‌ । ଟିଡିସିସି ଚୋପା ଥିବା ପାଚିଲା କଫିକୁ କିଲୋଗ୍ରାମ୍‌ ପିଛା ୪୫ ଟଙ୍କାରେ କିଣୁଛି। ମୋଟ ୩ ପର୍ଯ୍ୟାୟରେ ହେଉଥିବା ପ୍ରକ୍ରିୟାକରଣ ପାଇଁ ୭୫୦ରୁ ୮୦୦ ଟଙ୍କା ଖର୍ଚ୍ଚ ହେଉଛି। ପରେ ଏହାକୁ ୧୨୦୦ ଟଙ୍କାରେ ବିକ୍ରି କରୁଛି। ଗୋଟିଏ କିଲୋଗ୍ରାମରେ ଟିଡିସିସିକୁ ପ୍ରାୟ ୪୦୦/୪୫୦ ଟଙ୍କା ଫାଇଦା ମିଳୁଛି। ଜିଲାରୁ ବାର୍ଷିକ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଫି ଦାନା ବିକ୍ରି ହେବା ସତ୍ତ୍ୱେ ଚାଷୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ନ ଆସିବା, ସେମାନଙ୍କୁ ଉଚିତ୍‌ ମୂଲ୍ୟ ନ ମିଳିବା ପରିତାପର ବିଷୟ ବୋଲି ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଦାମ୍‌ ଅଧିକ ରହୁଥିବାରୁ କୋରାପୁଟ କଫି ଗୁଣ୍ଡ ଆଣି ଗ୍ରାହକଙ୍କୁ ପରଷିବା ସମ୍ଭବ ହୋଇପାରୁ ନ ଥିବା କୋରାପୁଟ ହସ୍ପିଟାଲ କ୍ୟାମ୍ପସରେ କଫି ଷ୍ଟଲ୍‌ ଖୋଲିଥିବା ବିଦେଶୀ ସାହୁ କହିଛନ୍ତି। ସେହିପରି ଉଚ୍ଚଦର, ଛୋଟ ପ୍ୟାକ୍‌ରେ ଉପଲବ୍ଧ ନ ହେବା ଏବଂ ସ୍ଥାନୀୟ ବଜାରରେ କୋରାପୁଟ କଫି ବିକ୍ରି କରିବା ଲାଗି ସଂସ୍ଥା ଆଗ୍ରହ ଦେଖାଉ ନ ଥିବାରୁ ସମସ୍ୟା ହେଉଥିବା ଖୁଚୁରା ଦୋକାନୀ ଦୁଷ୍ମନ୍ତ ପରିଡ଼ା ମତ ରଖିଛନ୍ତି। ଅନ୍ୟପଟେ କୋରାପୁଟ କଳାନିକେତନ ଛକରେ ଟିଡିସିସି ପକ୍ଷରୁ ଖୋଲାଯାଇଥିବା କାଫେ ପରିଚାଳକ ଦୈତାରି ରଏଲା କୁହନ୍ତି, ଦୈନିକ ୧୦,୦୦୦ ଟଙ୍କା ସ୍ଥଳବିଶେଷରେ ଶନିବାର, ରବିବାର ସମେତ ଅନ୍ୟ ଛୁଟିଦିନରେ ୧୫,୦୦୦ରୁ ଅଧିକ ଟଙ୍କାର ବ୍ୟବସାୟ ହେଉଛି। ଏସ୍‌ପ୍ରେସୋ ଏବଂ କ୍ୟାପୁଚିନୋ କଫି ଫ୍ଲେଭର ଚାହିଦା ଅଧିକ। ଷ୍ଟଲ୍‌ରେ କପେ କଫିର ଦାମ୍‌ ୪୦ରୁ ଆରମ୍ଭ କରି ୧୩୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ଥିବା ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ସଂସ୍ଥା ‘କୋରାପୁଟ କଫି ବୋର୍ଡ’ ଚାଷୀଙ୍କୁ ବୈଷୟିକ ସହାୟତା, ମାଟି ପରୀକ୍ଷଣ, କଫିର ଗୁଣବତ୍ତା ଯାଞ୍ଚ, ତଳି ପ୍ରସ୍ତୁତି ଓ ରୋପଣ ଆଦି କାର୍ଯ୍ୟ କରିଥାଏ। ଏହି ବୋର୍ଡର ସ୍ବତନ୍ତ୍ର ସମ୍ପର୍କ ଅଧିକାରୀ ତଥା ପରିଚାଳକ ଡ. ଉପେନ୍ଦ୍ର ଶାହା କୁହନ୍ତି, ୧୯୭୮ରେ କୋରାପୁଟ କଫି ବୋର୍ଡ ପ୍ରତିଷ୍ଠା ହେବା ପରଠାରୁ ଚାଷୀଙ୍କୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେମାନଙ୍କୁ କର୍ନାଟକ ଓ କେରଳ ପରିଭ୍ରମଣ କରାଇ ସେଠାକାର ଚାଷୀ ଆପଣାଉଥିବା ବିଭିନ୍ନ ପଦ୍ଧତି ସମ୍ପର୍କରେ ସଚେତନ କରାଇବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଶାହା କହିଛନ୍ତି। ସେହିପରି କଫି ଚାଷ ମାଧ୍ୟମରେ ଆଦିବାସୀଙ୍କ ବିକାଶ ଏବଂ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରୁଥିବା ‘କୋରାପୁଟ କଫି ବିକାଶ ପରିଷଦ’ର ଉପନିର୍ଦ୍ଦେଶକ ଚକ୍ରଧର ମିଶ୍ର କୁହନ୍ତି, ଜିଲାରେ କଫି ଚାଷ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏନେଇ ଯୋଜନାବଦ୍ଧ କାର୍ଯ୍ୟ ହେଉଛି। ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କୁହନ୍ତି, କୋରାପୁଟ ଜିଲାରେ ରାଜ୍ୟ ସରକାର କଫି ମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଜିଲାରେ ଟିଡିସିସି ପରିଚାଳିତ ଏକମାତ୍ର କଫି ପ୍ରକ୍ରିୟାକରଣ ୟୁନିଟ୍‌ର ଦୈନିକ କ୍ଷମତା ୧୫୦ରୁ ୪୦୦ କେ.ଜି.କୁ ବୃଦ୍ଧି କରିବା, ସ୍ବତନ୍ତ୍ର ଲାବରେଟୋରି ପ୍ରତିଷ୍ଠା, ଚାଷୀଙ୍କୁ ଦୀର୍ଘମିଆଦୀ ସୂତ୍ରରେ ଜମି ଲିଜ୍‌ ଦେବା ଆଦି ଉପରେ ବିଚାରବିମର୍ଶ ଚାଲିଥିବା ସେ ସୂଚନା ଦେଇଛନ୍ତି।

ଆମ ଭୁବନେଶ୍ୱର ପ୍ରତିନିଧି ଟିଡିସିସି ମ୍ୟାନେଜିଂ ଡାଇରେକ୍ଟର ମାନ୍‌ସି ନିମଭାଲଙ୍କ ସହ ଯୋଗାଯୋଗ କରି ତାଙ୍କ ମତାମତ ଆଣିବା ଲାଗି ରୂପାଲି ଛକ ସ୍ଥିତ ଟିଡିସିସିଓଏଲ୍‌ କାର୍ଯ୍ୟାଳୟରେ ବୁଧବାର ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ କର୍ମଚାରୀ ମ୍ୟାଡାମ୍‌ ଏବେ ନାହାନ୍ତି ବୋଲି କହିଥିଲେ। ସେ ଓଡ଼ିଶା ଲାଇଭଲିହୁଡ୍‌ ମିଶନ(ଓଏଲ୍‌ଏମ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅଛନ୍ତି, ତେଣୁ ସେଠାରେ ସେ ବସୁଛନ୍ତି ବୋଲି କର୍ମଚାରୀ ଜଣକ କହିଥିଲେ। ଏହାପରେ ଆମ ପ୍ରତିନିଧି ଦିନ ପ୍ରାୟ ୧ଟା ସମୟରେ ୟୁନିଟ୍‌ ୮ ଜଳେଶ୍ୱର ମନ୍ଦିର ନିକଟସ୍ଥ ଓଏଲ୍‌ଏମ୍‌ କାର୍ଯ୍ୟାଳୟରେ ପହଞ୍ଚି ନିମଭାଲ୍‌ଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ହେଲେ ସେ ମିଟିଂରେ ଥିବାବେଳେ ଅଳ୍ପ ସମୟ ପରେ ମଧ୍ୟାହ୍ନ ଭୋଜନ ଲାଗି ଚାଲିଗଲେଣି ବୋଲି ତାଙ୍କ ପିଏସ୍‌ଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା। ଏହାପରେ ଅପରାହ୍ନ ୪ଟାରେ ନିମଭାଲ୍‌ଙ୍କୁ ଭେଟିବା ଲାଗି ପୁଣିଥରେ ଓଏଲ୍‌ଏମ କାର୍ଯ୍ୟାଳୟହ୍‌ଠାରେ ପହଞ୍ଚି ତାଙ୍କୁ ପ୍ରାୟ ଏକ ଘଣ୍ଟା ୧୫ମିନିଟ୍‌ ଅପେକ୍ଷା କରିବା ପରେ ମ୍ୟାଡାମ୍‌ ଏବେ ଭେଟିପାରିବେ ନାହିଁ, ଅନ୍ୟ କାର୍ଯ୍ୟ ଅଛି ବୋଲି ତାଙ୍କ ପିଏସ୍‌ଙ୍କ କାର୍ଯ୍ୟାଳୟ କୁହାଯାଇଥିଲା। ଫଳରେ ନିମଭାଲ୍‌ଙ୍କ ମତାମତ ସଂଗ୍ରହ କରାଯାଇପାରିଲା ନାହିଁ।

ଚାଷୀଙ୍କଠାରୁ କିଣୁଛି ଟାଟା
ଟାଟା ଗ୍ରୁପ୍‌ (ଟାଟା କଫି) କୋରାପୁଟ୍‌ କଫିର ଗୁଣବତ୍ତା ଅକ୍ଷୁଣ୍ଣ ରଖି ବିଶ୍ୱ ବଜାରରେ ପହଞ୍ଚତ୍ବାକୁ ସମ୍ମତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଅଗଷ୍ଟ ୮ରେ ଟୁଇଟ୍‌ ଯୋଗେ ସୂଚନା ଦେଇଥିଲେ। ସେହିବର୍ଷ ଟାଟା କୋରାପୁଟ ଆଗ୍ରୋ ପ୍ରଡକ୍ଟସ୍‌ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ (କେଏପିପିସିଓ) ନାମକ ଘରୋଇ ସଂସ୍ଥା ଜରିଆରେ ଟିଡିସିସିଠାରୁ ପ୍ରାୟ ୩୧ ମେଟ୍ରିକ୍‌ ଟନ୍‌ ପାଚମେଣ୍ଟ (ସମ୍ପୂର୍ଣ୍ଣ ଶୁଖିଲା ଅବସ୍ଥା) କଫି ଫଳ କିଣି ନେଇଥିଲା। ତାହା ସାଧାରଣ ପାଚିଲା କଫି ଫଳଠାରୁ ପ୍ରାୟ ୫ଗୁଣ କମ୍‌ ଓଜନ। ସେତେବେଳେ ଟାଟା ୧ କିଲୋଗ୍ରାମ ପିଛା ୨୩୦ ଟଙ୍କା ଦେଇଥିଲା ବୋଲି ଟିଡିସିସିର ମାର୍କେଟିଂ ଅଫିସ୍‌ର ଆଶୁତୋଷ ନନ୍ଦ କହିଛନ୍ତି। ଚଳିତବର୍ଷ ଟାଟା ସିଧା କଫି ଚାଷୀଙ୍କୁ ଯୋଗାଯୋଗ କରି ପାଚମେଣ୍ଟ କଫି କିଣିଛି। ଓଡ଼ିଶା କଫି ଗ୍ରୋୟର୍ସ ଆସୋସିଏଶନ (ଓସିଜିଏ) ଉପସଭାପତି ତଥା ଅଣଆଦିବାସୀ କଫି ଚାଷୀ ସୁଜୟ ପ୍ରଧାନଙ୍କଠାରୁ ଟାଟା ଗତ ଏପ୍ରିଲରେ ପ୍ରାୟ ୨୦ ମେଟ୍ରିକ ଟନ୍‌ ପାଚମେଣ୍ଟ କଫି ଫଳ କିଲୋଗ୍ରାମ ପ୍ରତି ୧୯୩ ଟଙ୍କା ଦରରେ କିଣିନେଇଛି। ଏନେଇ ଚାଷୀ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଯେଉଁ ଚାଷୀଙ୍କ ପାଖରେ ପ୍ଲପ୍‌ର ମେଶିନ ଉପଲବ୍ଧ ଅଛି, ସେମାନେ ସିଧାସଳଖ ପାଚମେଣ୍ଟ କଫି ଫଳ ବିକ୍ରି କରିପାରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ମାର୍କେଟରେ ଟାଟା ବ୍ରାଣ୍ଡରେ କୋରାପୁଟ କଫି ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁନାହିଁ। ଏଥିରୁ କୋରାପୁଟ କଫିକୁ ଟାଟା କିପରି ବିଶ୍ୱ ବଜାରରେ ପହଞ୍ଚାଇବ ତାହାକୁ ନେଇ କେତେଜଣ ସଚେତନ କଫି ଚାଷୀ ପ୍ରଶ୍ନ ଉଠାଇଛନ୍ତି।

ଶୀତଳଭଣ୍ଡାରରେ ଏକାଧିକ ପ୍ରସ୍ତାବ
କଫି ଚାଷର ବିକାଶ ଲାଗି ସରକାରଙ୍କୁ ବହୁ ଗଠନମୂଳକ ପ୍ରସ୍ତାବ ଦେଇଛି ଓଡ଼ିଶା କଫି ଗ୍ରୋୟର୍ସ ଆସୋସିଏଶନ (ଓସିଜିଏ)। ହେଲେ ସେସବୁ ଶୀତଳଭଣ୍ଡାରରେ ପଡ଼ିରହିଛି। କଫି ଚାଷରେ ଅନାବାଦୀ ତଥା ବେସରକାରୀ ଜମିର ବହୁଳ ବ୍ୟବହାର, ୯୯ ବର୍ଷିଆ ଜମି ଲିଜ୍‌, କଫି ମିଶନରେ ଏକକ ବାତାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ସ୍ବତନ୍ତ୍ର ପାଣ୍ଠି ଓ ଅନୁଦାନ, ମାଟି, ମଞ୍ଜି ସମେତ ଅନ୍ୟ ପରୀକ୍ଷାନିରୀକ୍ଷା ପାଇଁ ଲାବରେଟୋରି, କଫି ରପ୍ତାନି ଲାଗି ବିଶାଖାପାଟଣା ବନ୍ଦରରେ ସୁବିଧା, ଅତ୍ୟାଧୁନିକ ଯନ୍ତ୍ରାଂଶ ଯୋଗାଣ, ସୋଲାର ଫ୍ୟାନ୍ସିଂ, ଯାତାୟାତ ସୁବିଧା, ୨୪ ଘଣ୍ଟିଆ ବିଦ୍ୟୁତ୍‌ ସଂଯୋଗ, କଫି ବଗିଚାକୁ ନେଇ ପର୍ଯ୍ୟଟନର ଅଭିବୃଦ୍ଧି, ଜୈବିକ ପ୍ରଣାଳୀକୁ ପ୍ରୋତ୍ସାହନ, କଫି ବଗିଚା ସୁରକ୍ଷା ଏବଂ ମିଶ୍ରିତ ଚାଷକୁ ଗୁରୁତ୍ୱ ଆଦି ଏଥିରେ ଅନ୍ତର୍ଭୁକ୍ତ। ତେବେ ସରକାର ଏସବୁ ମୂଳ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟରେ କଫି ଚାଷୀଙ୍କୁ ସଂଗଠିତ କରିବା ଲାଗି ଅଦ୍ୟାବଧି ବ୍ୟବସ୍ଥା ହୋଇନାହିଁ। କଫି ବୋର୍ଡରେ ଚାଷୀଙ୍କୁ ପ୍ରତିନିଧିତ୍ୱ କରିବା ଲାଗି କେହି ସଦସ୍ୟ ନାହାନ୍ତି। ତେଣୁ ଓଡ଼ିଶାରେ କଫି ପ୍ଲାଣ୍ଟେଶନରେ ରହିଥିବା ପ୍ରକୃତ ସମସ୍ୟା ଚିହ୍ନଟ କରାଯାଇପାରୁନାହିଁ। ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟକାରିତାକୁ ନେଇ କଫି ବୋର୍ଡ ଦ୍ୱନ୍ଦ୍ୱରେ ରହୁଛି। ଘରୋଇ କଫି ଚାଷୀଙ୍କୁ ଦୀର୍ଘ ମିଆଦୀ ସୂତ୍ରରେ ଜମି ଲିଜ୍‌, ଅଧିକ କାଫେ, ସୁଲଭ ଦରରେ ସ୍ଥାନୀୟ ବଜାରରେ ବିକ୍ରି ବ୍ୟବସ୍ଥା କରାଗଲେ ସୁଫଳ ମିଳିବ ବୋଲି ଓସିଜିଏ ସଭାପତି ପ୍ରଦୀପ ମହାନ୍ତି କହିଛନ୍ତି।

ଅମିତାଭ୍‌ ବେହେରା