ନୂଆଦିଲ୍ଲୀ,୬ା୬:କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ଆମେରିକାରୁ ଆସି ଶନିବାର ସକାଳ ୮ଟାରେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇ ବିକ୍ଷୋଭ ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏନ୍ଇଇଟି, ସିବିଏସ୍ଇ, ସିୟୁଇଟି ଏବଂ ଏସ୍ଏସ୍ସି ଗ୍ରୁପ୍-ଡି’ ଆଦି ଜାତୀୟସ୍ତର ପରୀକ୍ଷାରେ ହୋଇଥିବା ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ପରିଚାଳନାଗତ ତ୍ରୁଟି ବିରୋଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରାଯିବ ବୋଲି ଦଳର ଜଣେ ପ୍ରବକ୍ତା କହିଛନ୍ତି। ଏହି ସମାବେଶ ପାଇଁ ସୂଚୀ ଏବଂ ନିର୍ଦ୍ଦେଶାବଳୀ ସିଜେପି ଦ୍ୱାରା ଜାରି କରାଯାଇଛି। ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ବିମାନବନ୍ଦରରେ ଏକାଠି ନ ହେବାକୁ ଦଳ ପକ୍ଷରୁ ସମର୍ଥକମାନଙ୍କୁ ସ୍ପଷ୍ଟ ଭାବେ ଅନୁରୋଧ କରାଯାଇଛି। ସକାଳ ୯ଟାରେ ଆନ୍ଦୋଳନକାରୀ ଏବଂ ସମର୍ଥକମାନେ ପାର୍ଲାମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନ ନିକଟରେ ଏକାଠି ହେବେ। ଏଥିରେ ଜଣାଶୁଣା ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍ ଏବଂ ଅଭିନେତା ପ୍ରକାଶ ରାଜ୍ ଯୋଗଦେବାର ସମ୍ଭାବନା ରହିଛି। ଆନ୍ଦୋଳନକୁ ଅହିଂସାତ୍ମକ କରିବା ପାଇଁ ସିଜେପି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ କଡ଼ା ଆଚରଣ ବିଧି ଜାରି କରିଛି। ଶିକ୍ଷା ଅଧିକାର ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇବା ସକାଶେ ସମର୍ଥକମାନଙ୍କୁ ଜାତୀୟ ପତାକା (ତ୍ରିରଙ୍ଗା) ଏବଂ ଏକ ବହି ସାଙ୍ଗରେ ଆଣିବାକୁ କୁହାଯାଇଛି।