ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର MPSC ପରୀକ୍ଷା ପେପର ଲିକ୍‌ ମାମଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ‘କକରୋଚ୍‌ ଜନତା ପାର୍ଟି’ (CJP )। ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ନେତାମାନେ MPSC ପ୍ରାର୍ଥୀଙ୍କ ସହ ମିଶି ମହାରାଷ୍ଟ୍ରର  ସରକାର ବିରୋଧରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି।

CJP ପକ୍ଷରୁ ରବିବାର ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ଏହି ଘୋଷଣା କରାଯାଇଛି । ଦଳ ପକ୍ଷରୁ MPSC ଅଧ୍ୟକ୍ଷ ଓ ସଚିବଙ୍କ ଇସ୍ତଫା ଦାବି କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଦଳ ଚେତାବନୀ ଦେଇଛି। CJPର ପ୍ରେସ୍‌ ରିଲିଜ୍‌ ଅନୁସାରେ, ଛତ୍ରପତି ସମ୍ଭାଜୀନଗରର ୱାଲୁଜ ଅଞ୍ଚଳରେ ଥିବା ଅଭିଜିତ ଦୀପକେଙ୍କ ଘରେ କିଛି MPSC ପ୍ରାର୍ଥୀ ତାଙ୍କୁ ଭେଟିଥିଲେ। ଏହାପରେ ପେପର ଲିକ୍‌ ଅଭିଯୋଗ ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ଚାଲିଥିବା ପ୍ରତିବାଦରେ CJP ସାମିଲ ହେବାକୁ ଘୋଷଣା କରିଛି। ଦଳ ପକ୍ଷରୁ କୁହାଯାଇଛି, ୨୪ ସେପ୍ଟେମ୍ବର ସୁଦ୍ଧା ଦାବି ପୂରଣ ନହେଲେ MPSC ପ୍ରାର୍ଥୀଙ୍କୁ ସଂଗଠିତ କରିବା ପାଇଁ ସମଗ୍ର ମହାରାଷ୍ଟ୍ର ଗସ୍ତ କରାଯିବ।

ଏକ ଭିଡିଓ ବାର୍ତ୍ତାରେ ଅଭିଜିତ ଦୀପକେ କହିଛନ୍ତି ଯେ ସେ ଓ କକରୋଚ୍‌ ଜନତା ପାର୍ଟି MPSC ପ୍ରାର୍ଥୀଙ୍କ ଲଢ଼େଇରେ ସେମାନଙ୍କ ସହ ଅଛନ୍ତି। MPSC ଅଧ୍ୟକ୍ଷ ଓ ସଚିବ ଇସ୍ତଫା ନଦେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ସହ ରହିବାକୁ ସେ କହିଛନ୍ତି। MPSC ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ୨୮ ବର୍ଷୀୟ ପ୍ରଥମେଶ ଦେଶମୁଖ ପୁନେରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପାଖରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ପ୍ରାୟ ୨.୫ ଲକ୍ଷ ଟଙ୍କା ରୁଣ ସମ୍ପର୍କରେ ଉଲ୍ଲେଖ ଥିବା ଦାବି କରାଯାଇଛି। ଏହି ଘଟଣା ପରେ MPSC ପରୀକ୍ଷା ଓ ପ୍ରାର୍ଥୀଙ୍କ ସମସ୍ୟାକୁ ନେଇ ମହାରାଷ୍ଟ୍ରରେ ଚର୍ଚ୍ଚା ତୀବ୍ର ହୋଇଛି।

CJP ପକ୍ଷରୁ ଅଭିଯୋଗ କରାଯାଉଛି ଯେ ବେକାରୀ ଓ ଆର୍ଥିକ ସମସ୍ୟାରେ ଚାପଗ୍ରସ୍ତ ହୋଇ ପ୍ରଥମେଶ ଆତ୍ମହତ୍ୟା କରିଥିଲେ ଏବଂ ଏଥିପାଇଁ ସରକାରକୁ ଦାୟୀ କରାଯିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ଦଳ ଲଗାତାର ମହାରାଷ୍ଟ୍ର ସରକାରକୁ ଘେରି ଆସୁଛି।

 

Dharitri – Odisha’s No.1 Odia Daily

Share