ସମୁଦ୍ର ଉପକୂଳ ଜୀବନଜୀବିକା ବିପଦସଙ୍କୁଳ ହୋଇପଡ଼ୁଛି

ପୁରୀ ଅଫିସ, ୧୦ା୧: ପୁରୀ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିିଶା ଜନଶକ୍ତି ମଞ୍ଚ ତରଫରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଓ ପ୍ରତିକୂଳ ପାଗ ଯୋଗୁ ରାଜ୍ୟର ୪୮୦ କି.ମି ସମୁଦ୍ର ଉପକୂଳ ଜୀବନ, ଜୀବିକା ଓ ବାସସ୍ଥାନ ପାଇଁ ବିପଦସଙ୍କୁଳ ହୋଇ ପଡିଥିବା ମଞ୍ଚ ଅଭିଯୋଗ ପତ୍ରରେ ଦର୍ଶାଇଛି। ମଞ୍ଚର ଦାବି ଅନୁଯାୟୀ, ୨୦୧୯ ଫନି କ୍ଷତିଗ୍ରସ୍ତ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ବାତ୍ୟା/ଭୂମିକମ୍ପ ନିରୋଧ ଗୃହ ଯୋଗାଇ ଦିଆଯାଉ । ସହାୟତରୁ ବଞ୍ଚିତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ଦେବା ସହ ଫନି କେଳେଙ୍କାରୀରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଜୀବିକାର ନିରାପତ୍ତା ପାଇଁ ପୁରୀ ଗଞ୍ଜାମ ସଂଯୋଗିକରଣ ନିମନ୍ତେ ଚିଲିକା ଉପରେ ସାତପଡ଼ା – ଜହ୍ନିକୁଦା ସ୍ଥାୟୀ ପୋଲ ନିର୍ମାଣ କରାଯାଉ। ଗୋପ-ନିମାପଡା ବ୍ଲକ ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ଭରଣା କରାଯାଉ ବୋଲି ମଞ୍ଚ ଦାବି କରିଛି । କମିଟିର ଆବାହକ ବିହାରୀ ବନ୍ଧୁ ପଲେଇ ସୂଚନା ଦେଇ କହିଛନ୍ତି, ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିଶା ଜନଶକ୍ତି ମଞ୍ଚ ଆହ୍ବାନ କ୍ରମେ ଗତ ୬ତାରିଖରେ ୬ ଦଫା ଦାବି ନେଇ ବିଭିନ୍ନ ବ୍ଲକ୍‌ରୁ ୫ ହଜାର ଫନି କ୍ଷତିଗ୍ରସ୍ତ ବିଧାନସଭା ଘେରାଉ କରିଥିଲେ। ତେବେ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରତିନିଧି ଦଳ ସହ ଆଲୋଚନା କରି ଆଗାମୀ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ଏବଂ ସହାୟତା ବଣ୍ଟନର ଅନିୟମିତତା ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଧନୁଆ ବନ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ଦୁଇଜଣ ବିଶେଷଜ୍ଞକୁ ପଠାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୋମବାର ଜିଲାପାଳଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଅବସରରେ ଅଶୋକ ନନ୍ଦ, ଦେବରାଜ ବଳିଆରସିଂହ, ରଘୁନାଥ ସାହୁ, ବାନାମ୍ବର ଦଳାଇ, ସୁଧାକର ଭୋଳ ଏବଂ ଅବିନାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।