ଉପକୂଳ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ

ପାରାଦୀପ,୧୨।୪(ସ୍ବ.ପ୍ର.): ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ମଙ୍ଗଳବାରଠାରୁ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ ହୋଇଛି। ଏହା ବୁଧବାର ସା ପର୍ଯ୍ୟନ୍ତ ଚାଲିବ। କୋଷ୍ଟଗାର୍ଡ, ନୌସେନା, ମେରାଇନ ପୋଲିସ, ଓଡିଶା ପୋଲିସ, ସିଆଇଏସ୍‌ଏଫ, କଷ୍ଟମ୍ସ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର, ଇମିଗ୍ରେସନ, ରାଜ୍ୟ ଗୁଇନ୍ଦା ବିଭାଗ ସମେତ ଅନ୍ୟ ସୁରକ୍ଷା ଏଜେନ୍ସି ଏଥିରେ ସାମିଲ ହୋଇଛନ୍ତି।
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀମାନେ ଉପକୂଳ ସୀମାଦେଇ ବମ୍ବେ ସହର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ସେମାନଙ୍କ ମୁକାବିଲା କରିବା ପାଇଁ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ବୟ ରହି ନ ଥିଲା। ସେପରି ଘଟଣାର ପୁନରାବୃତ୍ତି ନ ହେବାପାଇଁ ୨୦୦୯ରୁ ବର୍ଷକୁ ୨ ଥର ଏଭଳି ମିଳିତ ସମରାଭ୍ୟାସ କରାଯାଉଛି ବୋଲି ଜନୈକ ସୁରକ୍ଷା ଅଧିକାରୀ କୁହନ୍ତି। ଓଡ଼ିଶା ସହ ପ୍ରତିବର୍ଷ ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ମିଶି ଏହି ସମରାଭ୍ୟାସ କରିଥାନ୍ତି। ଚଳିତଥର କେବଳ ଓଡ଼ିଶାରେ ଏହି ସମରାଭ୍ୟାସ କରାଯାଉଛି। ପୂର୍ବ ଉପକୂଳର ସମ୍ବେଦନଶୀଳ ସ୍ଥାନଗୁଡିକୁ ସୁରକ୍ଷିତ ରଖିବା ପାଇଁ ମଙ୍ଗଳବାର ମେରାଇନ ପୋଲିସ ନଦୀ ଓ ସମୁଦ୍ରରେ ବୁଲୁଥିବା ମତ୍ସ୍ୟଜୀବୀଙ୍କ ପରିଚୟପତ୍ର ଯାଞ୍ଚ କରିଛି। ସେହିପରି ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। କୋଷ୍ଟଗାର୍ଡ ପକ୍ଷରୁ ଡୋନିୟର ଏୟାରକ୍ରାଫ୍ଟ ଯୋଗେ ସମୁଦ୍ରରେ ନିରୀକ୍ଷଣ କରାଯାଇଛି। ଏହି ସମରାଭ୍ୟାସ ସମୟରେ ପାରାଦୀପ ବନ୍ଦରାଞ୍ଚଳର ବିଭିନ୍ନ ସ୍ଥାନରେ ଏକପ୍ରକାର ହାଇ ସିକ୍ୟୁରିଟି ଜୋନ ଭଳି ସ୍ଥିତି ଦେଖିବାକୁ ମିଳିଛି।