ପ୍ରତିଶ୍ରୁତି ମିଳୁଛି, ପୋଖରୀରେ ପାଣି ପଶୁନି

ମହାକାଳପଡ଼ା,୧୨।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ଦରିଆ ପାରି ମା’ ରାମଚଣ୍ଡୀ ବିଜେସ୍ଥଳୀ ଅବ୍ୟବସ୍ଥା ନେଇ ଲଗାତାର ୨ ଦିନ ଧରି ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଅପରପକ୍ଷରେ ଆଗାମୀ ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବା ଆଶଙ୍କା ରହିଛି। ପୋଖରୀରେ ବିଶୁଦ୍ଧ ଜଳ ପଶିବା, ପରିମଳ, ପାନୀୟ ଜଳ ଓ ଅଗ୍ନି ନିରାପତ୍ତା ଜରୁରୀ ବୋଲି ରାଜସ୍ବ ବିଭାଗର ସ୍ବତନ୍ତ୍ର ତଦାରଖ ଟିମ୍‌ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଟିମ୍‌ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ମଥୁରୀ ଚରଣ ସେନାପତିଙ୍କ ସହ ଆଲୋଚନା କରିବା ସହ କିପରି ଯୁଦ୍ଧକାଳୀନ ମଧ୍ୟରେ ପଦକ୍ଷେପ ନିଆଯାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ। ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଝାମୁଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର କିପରି ଅସୁବିଧା ନ ହେବେ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଟିମ୍‌ କହିଛି। ବିଶେଷକରି ମହିଳାମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ନିର୍ମାଣ, ପରିମଳ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅଗ୍ନି ନିରାପତ୍ତା ଜରୁରୀ ବୋଲି ଏହି ଟିମ୍‌ ନିକଟରେ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଦାବି କରିଛନ୍ତି। ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଅନୁସାରେ ଆଗାମୀ ୫ ଦିନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରଶାସନ କିପରି ମୁକାବିଲା କରିବେ ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଝାମୁଯାତ୍ରାରେ ବ୍ୟବସାୟୀମାନେ ପସରାମେଲାଇ ଥିବା ସ୍ଥାନର ମୂଲ୍ୟ ପରିଚାଳନା କମିଟି ଆଦାୟ କରି ଯେପରି ବାଟ ମାରଣା ନ ହୁଏ ସେଥି ପ୍ରତି ସ୍ବ୍‌ତନ୍ତ୍ର ଧ୍ୟାନ ଦେବାକୁ ସେନା ପକ୍ଷରୁ ତହସିଲଦାର ତ୍ରିପାଠୀ ନିକଟରେ ଦାବି କରାଯାଇଛି। ଏହି ରାଜସ୍ବ ଟିମ କ୍ଷେତ୍ର ପରିଦର୍ଶନ କରିବା ସମୟରେ ମା’ଙ୍କ ବିଜେସ୍ଥଳୀର ନିଜସ୍ବ ଜମି ୫୦ ଏକର ୮୫ ଡିସିମିଲିର ଖତିଆନ ସହ ନକ୍ସା ମେଳ କରି କେଉଁ କେଉଁ ସ୍ଥାନରେ ମା’ଙ୍କ ଜମି ରହିଛି ଦେଖିଥିଲେ। ଏହି ଜମି କିଛି ସରକାରୀ ଜମି ଜାଗା ରହିଛି ତାହାକୁ ଅନୁଧ୍ୟାନ କରିଛନ୍ତି। ତେବେ ମା’ଙ୍କ ବିଜେସ୍ଥଳ ୧୭୩୭ ମସିହାରେ କୁଜଙ୍ଗ ରାଜାଙ୍କ ଦ୍ୱାରା ତିନି ଶତାବ୍ଦୀରୁ ଅଧିକ ନିର୍ମିତ ହୋଇଥିଲେ ମଧ୍ୟ ସରକାର ଆଦ୍ୟାବଧି ପର୍ଯ୍ୟଟନସ୍ଥଳର ମାନ୍ୟତା ଦିଆଗଲାନାହିଁ ବୋଲି ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଟିମରେ ପେଟଛେଲା ରାଜସ୍ବ ନିରୀକ୍ଷକ ପାରଶ ନାୟକ, ଗୋଗୁଆ ରାଜସ୍ବ ନିରୀକ୍ଷକ ପବିତ୍ର ବେହେରା, ଅମିନ ଉମାକାନ୍ତ ବେହେରା, କର୍ମଚାରୀ ସୁବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।