ଜୋର୍‌ଦାର ଚାଲିଛି କୋଇଲା ଚୋରା କାରବାର

ତାଳଚେର,୧୦।୫(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ଚାଲିଛି ଜୋର୍‌ଦାର କୋଇଲା ଚୋରି। କୋଇଲା ମାଫିଆଙ୍କ ସହ କେତେଜଣ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀ, ଡିଡିଏମ୍‌ ଅଫିସରେ ଥିବା କେତେଜଣ କର୍ମଚାରୀ ଓ ପୋଲିସ ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଅସାଧୁ ମେଣ୍ଟରେ ଥିବା ମାଫିଆ ଓ କର୍ମଚାରୀମାନେ ଦୈନିକ ଖଣି ମଧ୍ୟରୁ ସହସ୍ରାଧିକ ଟନ୍‌ କୋଇଲା ଚୋରି କରି ଟ୍ରକ୍‌ ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଏପରି ଅଭିଯୋଗ ବଢ଼ିଚାଲିଥିଲେ ମଧ୍ୟ କେତେବେଳେ କେମିତି ପୋଲିସ ଓ ଡିଡିଏମ୍‌ ଅଫିସ ପକ୍ଷରୁ ଚଢ଼ାଉ କରାଯାଇ ଚୋରା କୋଇଲା ଜବତ କରାଯାଉଛି। ସୋମବାର ହିଙ୍ଗୁଳା କୋଇଲା ଖଣିରୁ ଚୋରା କୋଇଲା ଚାଲାଣ ବେଳେ ପୋଲିସ ୩ଟି ଟ୍ରକ୍‌ ଜବତ କରିଛି। ହିଙ୍ଗୁଳା କୋଇଲା ଖଣି ପ୍ରକଳ୍ପ ଅଧିକାରୀ ଅଜୟ କୁମାର ସିଂହଙ୍କ ଅଭିଯୋଗ କ୍ରମେ ତାଳଚେର ଏସ୍‌ଡିପିଙ୍କ ନେତୃତ୍ୱରେ କଲିୟାରୀ ପୋଲିସ ଖଣିର ୯ ଓ ୧୦ ନମ୍ବର କଣ୍ଟା ନିକଟରେ ଚଢ଼ାଉ କରି କୋଇଲା ବୋଝେଇ କରୁଥିବା ୩ଟି ଟ୍ରକ୍‌ (ନଂ. ଓଡି୦୫ଏସ୍‌-୭୫୮୫, ଓଡି୦୫ଏଇ-୭୫୮୫, ଓଡି୦୫ଓ୍ବାଇ-୭୫୮୫)କୁ ଜବତ କରିଛି। ଟ୍ରକ୍‌ରୁ ୨୨ ଟନ୍‌ କୋଇଲା ଜବତ ହୋଇଛି। ଚଢ଼ାଉ ବେଳେ କଟକ ଜିଲା ତିଗିରିଆ ଥାନା ବନମାଳୀପୁର ଗ୍ରାମର ଚେରୁ ନାୟକଙ୍କ ପୁଅ ସତ୍ୟ ନାରାୟଣ ନାୟକ ଓ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିସିଂହା ଗ୍ରାମର କାଳନ୍ଦୀ ସିଂହଙ୍କ ପୁଅ କାହ୍ନା ସିଂହଙ୍କୁ ଗିରଫ କରାଯାଇଛି। ତେବେ କୋଇଲା ମାଫିଆ ଜଣଙ୍କ ସେଠାରୁ ଖସି ପଳାଇଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କଲିୟାରୀ ଥାନାରେ ନଂ. ୨୧୩/୨୨ରେ ମାମଲା ରୁଜୁ ହୋଇଛି।