Categories: ଜାତୀୟ

ଟିଏମ୍‌ସି ଏମ୍‌ପିଙ୍କ ପତ୍ନୀ ରୁଜିରାଙ୍କ ନାଁରେ ଓ୍ବାରେଣ୍ଟ

କୋଲାକାତା,୭।୫: ତୃଣମୂଳ କଂଗ୍ରେସର ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। କୋଇଲା ଚୋରା ଚାଲାଣ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ବୋହୁ ରୁଜିରାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। କୋଇଲା ଚୋରା ଚାଲାଣ ମାମଲାରେ ପୂର୍ବରୁ ଇଡି ଜେରା ପାଇଁ ନୋଟିସ କରିଥିଲେ ମଧ୍ୟ ରୁଜିରା ହାଜର ହୋଇ ନ ଥିଲେ। ଯାହାଫଳରେ ଶନିବାର ଇଡି ପକ୍ଷରୁ ତାଙ୍କ ନାଁରେ ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏହି ଘଟଣାରେ ଇଡି ଦୁଇଥର ଅଭିଷେକ ବାନାର୍ଜୀଙ୍କୁ ଜେରା କରିସାରିଛି। ଇଡି ପକ୍ଷରୁ ରୁଜିରାଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ଥରୁଟିଏ ବି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ସୂଚନାଯୋଗ୍ୟ, ଇଡି ପକ୍ଷରୁ ଅଭିଷେକ ବାନାର୍ଜୀ ଓ ରୁଜିରାଙ୍କୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ମାର୍ଚ୍ଚ ୨୨ ଓ ୨୩ରେ ହାଜର ହେବାକୁ ନୋଟିସ କରାଯାଇଥିଲା। ଏହା ବିରୋଧରେ ଉଭୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଳି ନ ଥିଲା। ଏଥିସହ ଉଭୟ ଦିଲ୍ଲୀ ନୁହେଁ ବରଂ କୋଲକାତାରେ ଇଡି ଜେରାର ସମ୍ମୁଖୀନ ହେବାକୁ ଚାହୁଁଥିଲେ। କିନ୍ତୁ କୋର୍ଟ ଏଥିରେ ରାଜି ହୋଇ ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ମାର୍ଚ୍ଚରେ ଅଭିଷେକ ବାନାର୍ଜୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଅଧିକାରୀମାନେ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲେ। ହେଲେ ରୁଜିରା ସମନ ପାଇବା ପରେ ବି ହାଜର ହୋଇ ନ ଥିଲେ।

Share