ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଆସିଷ୍ଟାଣ୍ଟ କୋଚ୍ ରାୟନ ଟେନ୍ ଡେସ୍କାଥେ। ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋହଲିଙ୍କ ବ୍ୟାଟିଂରେ ଥିବା ଏକ ବୈଷୟିକ ତ୍ରୁଟିକୁ ସୁଧାରିବା ପାଇଁ ତାଙ୍କୁ କେତେ ସତର୍କତାର ସହ ପଦକ୍ଷେପ ନେବାକୁ ପଡ଼ିଥିଲା, ସେ ସମ୍ପର୍କରେ କହିଛନ୍ତି ଡେସ୍କାଥେ।
‘ଟକ୍ସ୍ପୋର୍ଟ କ୍ରିକେଟ୍’ ପଡ୍କାଷ୍ଟରେ ଏହି ଘଟଣା ବିଷୟରେ କହିଛନ୍ତି ସେ। ତାଙ୍କ ଅନୁସାରେ, ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଅଫ୍ ଷ୍ଟମ୍ପ୍ ବାହାରେ ପଡ଼ୁଥିବା ବଲ୍କୁ ଡ୍ରାଇଭ୍ କରିବାକୁ ଚେଷ୍ଟା କରି ବାରମ୍ବାର ଆଉଟ୍ ହେଉଥିଲେ। ଏହାକୁ ନେଇ ଚର୍ଚ୍ଚା ବଢ଼ିବା ସହ କୋଚିଂ ଷ୍ଟାଫ୍ ଏହି ସମସ୍ୟା ଉପରେ କାମ କରୁଛନ୍ତି କି ନାହିଁ, ସେନେଇ ପ୍ରଶ୍ନ ଉଠିଥିଲା।
ଡେସ୍କାଥେ କହିଛନ୍ତି, ବିରାଟ କୋହଲିଙ୍କ ଭଳି ଜଣେ ବଡ଼ ଅନ୍ତର୍ଜାତୀୟ ଖେଳାଳିଙ୍କୁ ବୈଷୟିକ ପରାମର୍ଶ ଦେବା ସହଜ କାମ ନୁହେଁ। ତାଙ୍କ ଭଳି ଜଣେ ଖେଳାଳିଙ୍କୁ ତାଙ୍କ ଖେଳର ତ୍ରୁଟି ବିଷୟରେ କହିବାକୁ କୋଚ୍ମାନେ ମଧ୍ୟ ଦ୍ୱିଧାରେ ପଡ଼ିଥାନ୍ତି। ସେ କହିଛନ୍ତି, ଠିକ୍ କଥା କହିବା ପାଇଁ ଅନ୍ୟ କାହାର ମତାମତକୁ ଡରୁଥିବା କୋଚ୍ ହେବାକୁ ସେ କେବେ ଚାହାନ୍ତି ନାହିଁ। ଅଷ୍ଟ୍ରେଲିଆ ଗସ୍ତର ଚତୁର୍ଥ ଟେଷ୍ଟ ସମୟରେ ସେ କୋହଲିଙ୍କ ସହ ଏହି ବିଷୟରେ କଥା ହେବାକୁ ଯାଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା, କୋହଲି ନିଜେ ମଧ୍ୟ ଚାହୁଁଥିଲେ ଯେ କେହି ତାଙ୍କୁ ଏହି ତ୍ରୁଟି ବିଷୟରେ କୁହନ୍ତୁ।
ଡେସ୍କାଥେ ସ୍ୱୀକାର କରିଛନ୍ତି ଯେ, କୋହଲିଙ୍କ ଭଳି ଜଣେ ବଡ଼ ଖେଳାଳିଙ୍କ ସହ ଏଭଳି ଆଲୋଚନା ଆରମ୍ଭ କରିବା ଏକ ସମ୍ବେଦନଶୀଳ କାମ। କୋଚ୍ମାନେ କେବଳ କ’ଣ କହିବେ ତାହା ନୁହେଁ, ବରଂ କେବେ ଓ କେମିତି କହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତାଙ୍କ କହିବା ଅନୁସାରେ, ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କ ଖେଳରେ କ’ଣ ସମସ୍ୟା ରହିଛି, ସେ ବିଷୟରେ ସିଧାସଳଖ କହିବା ଜଣେ କୋଚ୍ଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ପରାମର୍ଶ ଦେବା ସମୟରେ ଶବ୍ଦର ଚୟନ ଓ କଥା କହିବାର ଶୈଳୀ ବେଶ୍ ଗୁରୁତ୍ୱପୂର୍ଣ୍ଣ ।