ଡର? ସେଇଟା ପୁଣି କଣ… କୋଚ୍‌ ଗମ୍ଭୀର ଟିମ୍‌ ଇଣ୍ଡିଆର ବିଜୟକୁ କାହିଁକି କହିଲେ ବହୁତ ଖାସ୍‌…

ନୂଆଦିଲ୍ଲୀ,୧।୧୧: ସିରିଜ୍ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ବି ହେଉ, ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବକ୍ତବ୍ୟ ରଖିବାରେ କେବେ ହେଲେ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ। ପ୍ରଶଂସା କରିବା ହେଉ, ଦଳର ବଚାଓ କରିବା ହେଉ କିମ୍ବା ସମାଲୋଚନାର କଡ଼ା ଜବାବ ଦେବା ହେଉ, ଗମ୍ଭୀର କେବେ ବି ବ୍ୟାକ୍‌ଫୁଟ୍‌ରେ ଖେଳିବା ପସନ୍ଦ କରନ୍ତି ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ହାରିଥିଲେ ମଧ୍ୟ ସିରିଜ୍‌ ଆପଣେଇବା ପରେ ଭାରତୀୟ କୋଚ୍‌ଙ୍କର ସେହିପରି ଏକ ଦମ୍‌ଦାର୍ ରୂପ ଦେଖିବାକୁ ମିଳିଛି, ଯେଉଁଠାରେ ସେ ଦଳର ପ୍ରଶଂସା କରିବା ସହ ତାଙ୍କର କାହାକୁ ଭୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ହ୍ୟାମିଲ୍‌ଟନ୍‌ରେ ଖେଳାଯାଇଥିବା ସିରିଜ୍‌ର ଶେଷ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ ହାତରୁ ୭  ଉଇକେଟ୍‌ରେ ପରାଜିତ ହୋଇଥିଲା। ତଥାପି ଭାରତ ୩-୨ରେ ଏହି ସିରିଜ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ସିରିଜ୍ ସରିବା ପରେ ଟିମ୍ ଇଣ୍ଡିଆ ସିଧାସଳଖ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା ଏବଂ ପ୍ରସ୍ତୁତି ପାଇଁ ମାତ୍ର ଗୋଟିଏ ଦିନ ସମୟ ପାଇଥିଲେ ମଧ୍ୟ ସିରିଜ୍ ଜିତିନେଇଥିଲା। ଗମ୍ଭୀର ଦଳର ଏହି ଲଢୁଆ ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି।

ସିରିଜ୍ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି, “ଏହା ସତରେ ଅବିଶ୍ୱସନୀୟ, କାରଣ ଖେଳାଳିମାନଙ୍କୁ ପ୍ରସ୍ତୁତି ପାଇଁ ମାତ୍ର ଗୋଟିଏ ଦିନ ମିଳିଥିଲା। ସେମାନେ ୨୦ ତାରିଖରେ ପହଞ୍ଚି ୨୧ ତାରିଖରେ ଅଭ୍ୟାସ କରିଥିଲେ। ଅଲଗା ପରିବେଶ, ଅଲଗା ପାଣିପାଗ ଏବଂ ଅଲଗା ପିଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଭଳି ମଜବୁତ୍ ଟିମ୍ ବିପକ୍ଷରେ ତାଙ୍କରି ଘରୋଇ ମାଟିରେ ଖେଳିବା କୌଣସି ସହଜ କାମ ନୁହେଁ। ଅଧିକାଂଶ ଯୁବ ଖେଳାଳି ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ। ତେଣୁ ମୁଁ ଭାବୁଛି ଦଳ ନିଜର ଏହି କଠିନ ପରିଶ୍ରମ ଓ ଉଦ୍ୟମ ପାଇଁ ଗର୍ବ ଅନୁଭବ କରିବା ଉଚିତ୍।”

ଏହା ପରେ ଗମ୍ଭୀର ନିଜର ଦୃଢ଼ ମନୋବଳର ପରିଚୟ ଦେଇ କହିଥିଲେ ଯେ, ତାଙ୍କ ଜୀବନରେ ଭୟ ବୋଲି କୌଣସି ଶବ୍ଦର ସ୍ଥାନ ନାହିଁ। କମ୍ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବା ସମୟରେ ମନରେ କୌଣସି ଭୟ ଥିଲା କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ମୋର କୌଣସି କଥାକୁ ଭୟ ନାହିଁ। ମୋର ଅଭିଧାନ କିମ୍ବା ମୋର ଆଦର୍ଶରେ ‘ଭୟ’ ବୋଲି କୌଣସି ଶବ୍ଦ ନାହିଁ। ଏହା ମୋ ଜୀବନରେ ଆଦୌ ବିଦ୍ୟମାନ ନୁହେଁ।”

Dharitri – Odisha’s No.1 Odia Daily

Share