ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍‌ଲର ସହ-ପ୍ରତିଷ୍ଠାତା

ନ୍ୟୁୟର୍କ,୧୭ା୯: ଗୁଗ୍‌ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍‌ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି।
ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍‌ଲ ସିଇଓ ଏଲନ ମସ୍କଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ସର୍ଗେ ତାଙ୍କ ସ୍ତ୍ରୀଙ୍କୁ ଏହି ଛାଡ଼ପତ୍ର ଦେଇଥିବା କୁହାଯାଉଛି।

ଛାଡ଼ପତ୍ର କୋର୍ଟର ଦସ୍ତାବିଜରୁ ଜଣାପଡିଛି ଯେ, ଶାନହନଙ୍କୁ ମସ୍କଙ୍କ ସହ ସମ୍ପର୍କ ଅଛି କି ବୋଲି ପଚରାଯିବା ପରେ ବ୍ରିନ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। କୋର୍ଟ ଦଲିଲରୁ ଜଣାପଡ଼ିଛି,ଏହି ଦମ୍ପତି ୨୬ ମେ’ରେ ସରକାରୀ ଭାବେ ଛାଡ଼ପତ୍ର ହୋଇଥିଲେ।

ବର୍ତ୍ତମାନ ଦୁହେଁ ସେମାନଙ୍କର ଚାରି ବର୍ଷର ଝିଅର ଆଇନଗତ ଏବଂ ଶାରୀରିକ ସୁରକ୍ଷା ବାଣ୍ଟିବେ। ଅନ୍ୟପକ୍ଷରେ  ମସ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (ପୂର୍ବରୁ ଟୁଇଟର) ରେ ପୋଷ୍ଟ କରି କହିଥିଲେ ଯେ, ସେ ଏବଂ ଶାନହନ କେବଳ ବନ୍ଧୁ।

ମସ୍କ କହିଥିଲେ, ‘ମୁଁ ନିକୋଲଙ୍କୁ ତିନିବର୍ଷରେ ଦୁଇଥର ଦେଖିଛି, ଉପସ୍ଥିତ ଥିବା ଲୋକଙ୍କ ସହ ଆମର ସାକ୍ଷାତ ହୋଇଥିଲା। ଆମ ମଧ୍ୟରେ କୌଣସି ଅନୈତିକ ସମ୍ପର୍କ ନାହିଁ।’

ନିକୋଲ ମଧ୍ୟ ମସ୍କ ସହିତ ଥିବା ସମ୍ପର୍କ ଗୁଜବକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏଲନ ଏବଂ ମୋର କୌଣସି ଶାରୀରିକ ସମ୍ପର୍କ ନ ଥିଲା। ବିବାହର ୩ ବର୍ଷ ପରେ ୬ ଜୁନ୍‌ ୨୦୨୨ରେ ୫୦ ବର୍ଷୀୟ ବ୍ରିନ ସ୍ତ୍ରୀ ନିକୋଲଙ୍କଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ।

Share