ଆଜି ରେଡିଓରେ ଶୁଭିବ ସିଏମ୍‌ସି ‘ସଂକଳ୍ପ’

କଟକ ଅଫିସ,୧୦ା୨: କଟକ ମହାନଗର ନିଗମ (ସିଏମ୍‌ସିି)ର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପ୍ରକଳ୍ପ ସମ୍ପର୍କରେ ଲୋକେ ସଚେତନ ହେବେ। ରେଡ଼ିଓ ଏଫ୍‌ଏମ୍‌ ଯୋଗେ ଅଧିକାରୀମାନେ ସଚେତନ କରାଇବେ। ଶୁକ୍ରବାରଠାରୁ ‘ସଂକଳ୍ପ’ ନାମରେ ଏକ କାର୍ଯ୍ୟକ୍ରମକୁ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣ ଶୁଭାରମ୍ଭ କରିବେ। ପ୍ରଥମ ଏପିସୋଡ୍‌ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ୯୩.୫ ରେଡ୍‌ ଏଫ୍‌ଏମ୍‌ରେ ପ୍ରସାରଣ କରାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସିଏମ୍‌ସି ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଲୋକେ ଯେଭଳି ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ ହେବେ ଓ ସଚେତନ ହୋଇ ସିଏମ୍‌ସିକୁ ସହଯୋଗ କରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ବିଭିନ୍ନ ଦିନରେ ମୁକ୍ତା, ଜାଗା ମିଶନ, ଟିକସ ସାଥୀ, କ୍ୟାଶ୍‌ଲେସ୍‌ ଟିକସ ପଇଠ, ଖାଦ୍ୟ ଲାଇସେନ୍ସ, ସଫେଇ ଆଦି ବିଷୟରେ ବିଭାଗୀୟ ଅଧିକାରୀମାନେ ସୂଚନା ଦେବେ। ଏହାବ୍ୟତୀତ ଲୋକମାନେ କିଭଳି ଅଭିଯୋଗ ଓ କେଉଁ ନମ୍ବରରେ କରିବେ ସେ ସମ୍ପର୍କରେ ମଧ୍ୟ ବ୍ୟାପକ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି।