ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ବାଣ୍ଟିଲେ ୫୦ ହଜାର ଟାବ୍‌ଲେଟ୍‌

ଲକ୍ଷ୍ନୌ,୨୦।୧୧: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରୀଛାତ୍ରଙ୍କୁ ଟାବ୍‌ଲେଟ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଏହି ଟାବ୍‌ଲେଟ୍‌ ବଣ୍ଟନ କରାଯାଇଛି । ଏଥିରେ ଗୋରଖପୁର ଜିଲାର ୩୫ ହଜାର ଛାତ୍ରୀଛାତ୍ର ଟାବ୍‌ଲେଟ୍‌ ପାଇଥିବାବେଳେ ଦେଓରିଆ, କୁଶୀନଗର ଓ ମହାରାଜଗଞ୍ଜ ଜିଲାର ୫ ହଜାର ଲେଖାଏ ଛାତ୍ରୀଛାତ୍ରଙ୍କୁ ଏହା ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (ସପା) ଏବଂ ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଆଜିର ଉତ୍ତରପ୍ରଦେଶ ବଦଳିଯାଇଛି। ୧୦ ବର୍ଷ ପୂର୍ବରୁ ରାଜ୍ୟର ଯୁବପିଢ଼ି ପରିଚୟ ସଙ୍କଟର ସମ୍ମୁଖୀନ ହେଉଥିଲେ। ରାଜ୍ୟରେ ଚାକିରି ନଥିଲା। ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ ଉତ୍ତରପ୍ରଦେଶର ଯୁବକଙ୍କୁ ଘର ଭଡ଼ା ମିଳୁ ନଥିଲା କି ହୋଟେଲ ଓ ଧର୍ମଶାଳାରେ ରହିବାକୁ ସ୍ଥାନ ମିଳୁ ନଥିଲା ବୋଲି ସେ ଦାବି କରିଥିଲେ। ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ନକଲ ମାଫିଆଙ୍କ ପ୍ରଭାବ ରହିଥିବା ଅଭିଯୋଗ କରି ଯୋଗୀ କହିଥିଲେ, ସେତେବେଳେ ଯୁବକମାନେ ପରୀକ୍ଷା ଦେବା ପୂର୍ବରୁ ହିଁ ଫଳାଫଳକୁ ନେଇ ଆଶଙ୍କାରେ ରହୁଥିଲେ। ରାଜ୍ୟରେ ଦଙ୍ଗା, ଅପରାଧ, ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କ ସୁରକ୍ଷା ନେଇ ମଧ୍ୟ ସେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ।

ନିଯୁକ୍ତି ପ୍ରସଙ୍ଗରେ ଯୋଗୀ କହିଥିଲେ, ତାଙ୍କ ସରକାରଙ୍କ ସାଢ଼େ ୯ ବର୍ଷ ଶାସନ କାଳରେ ପ୍ରାୟ ୯.୫ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ଏବେ ଟଙ୍କା କିମ୍ବା ସମ୍ପର୍କ ନୁହେଁ, ବରଂ ଯୁବକଙ୍କ ଯୋଗ୍ୟତା ଓ ପ୍ରତିଭାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

Share