Categories: ଜାତୀୟ

ରାମଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଭୋଟ ଦେବାଭଳି ପାପ କଦାପି କରିବେ ନାହିଁ: ଆଦିତ୍ୟନାଥ

ଅଯୋଧ୍ୟା,୨୨।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। ନେତାମାନେ ସାଧାରଣ ସଭା କରି ଜନସାଧାରଣଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଏକ ସମାବେଶକୁ ସମ୍ବୋଧିତ କରି ରାମଭକ୍ତଙ୍କ ଉପରକୁ ଗୁଳି ଚଳାଇଥିବା ଲୋକଙ୍କୁ ଭୋଟ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି।

ଆଦିତ୍ୟନାଥ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି, ଏବେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ସେତେବେଳେ ଅଯୋଧ୍ୟାକୁ ଯିବା ଉଚିତ ବୋଲି ବବୁଆଙ୍କୁ ମନେ ପଡ଼ିଛି। ପ୍ରଥମେ ଲୋକେ କହୁଥିଲେ ଏଠରେ ପତ୍ର ବି ହଲି ପାରିବ ନାହିଁ। ଏଠାରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଯାଉଥିଲା। କ’ଣ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଅଯୋଧ୍ୟାରେ, ବାଇକାପୁର କିମ୍ବା ମିଲ୍କିପୁରରେ ଭୋଟ ପାଇବେ? ଭାଇ ଓ ଭଉଣୀମାନେ ଏହି ପାପ କଦାପି କରିବେ ନାହିଁ।

କହିରଖୁଛୁ ଯେ, ୟୁପିରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଫେବୃୟାରୀ ୨୩ରେ ଏହାର ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି।

Share