ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ବୁଷ୍ଟର (ସହାୟକ) ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀ ବିଜୟ ନୂଆ ତାମିଲ ଫିଲ୍ମଗୁଡିକ ପାଇଁ ତାମିଲନାଡୁର ସିନେମା ହଲକୁ ଦିନକୁ ୫ଟି ଶୋ’ (Five Shows) ଚଲାଇବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ୱରୁ ତାମିଲନାଡୁରେ ଥ୍ରୀଏଟର ପାଇଁ ଦିନକୁ କେବଳ ୪ଟି ଶୋ’ ଚଲାଇବାର ନିୟମ ରହିଥିଲା।
ତାମିଲନାଡୁରେ ପ୍ରାୟ ୭୦ ବର୍ଷ ହେବ ଦିନକୁ ୪ଟି ଶୋ’ ଚଲାଇବାର ସରକାରୀ ନିୟମ ଚାଲିଆସୁଥିଲା। କେବଳ ପାର୍ୱଣ କିମ୍ୱା ବଡ଼ ପେଷ୍ଟିଭାଲ ରିଲିଜ ସମୟରେ ହିଁ ସରକାର ସ୍ୱତନ୍ତ୍ର ଅନୁମତି କ୍ରମେ ୫ମ ଶୋ’ ପାଇଁ ଅନୁମତି ଦେଉଥିଲେ, ଯାହା ପାଇଁ ପ୍ରଯୋଜକମାନଙ୍କୁ ବହୁତ କସରତ କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ସିନେମା ହଲଗୁଡିକ ସାଧାରଣ ଦିନରେ ମଧ୍ୟ ୫ଟି ଶୋ’ ଚଲାଇପାରିବେ।
ଫିଲ୍ମ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ୫ଟି ଶୋ’ ନିୟମ ଯୋଗୁଁ ତାମିଲ ସିନେମାର ବ୍ୟବସାୟ ଓ ବକ୍ସ ଅଫିସ କଲେକ୍ସନରେ ବହୁତ ବଡ଼ ବୃଦ୍ଧି ଦେଖିବାକୁ ମିଳିବ। ଦିନକୁ ଗୋଟିଏ ଶୋ’ ବଢ଼ିବା ଦ୍ୱାରା ପ୍ରତି ସିନେମା ହଲରୁ ଆୟ ପ୍ରାୟ ୨୦-୨୫% ପର୍ଯ୍ୟନ୍ତ ବଢ଼ିଯିବ।
ବିଶେଷ କରି ବଡ଼ ବଜେଟ ଫିଲ୍ମଗୁ ଓପନିଂ ୱିକେଣ୍ଡ (ପ୍ରଥମ ୩ ଦିନ) କଲେକ୍ସନରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଅଧିକ ଶୋ’ ଉପଲବ୍ଧ ହେବା ଦ୍ୱାରା ଦର୍ଶକମାନଙ୍କୁ ସହଜରେ ଟିକେଟ ମିଳିପାରିବ, ଯାହାଫଳରେ ବ୍ଲାକରେ ଟିକେଟ ବିକ୍ରି ଏବଂ ଫିଲ୍ମ ପାଇରେସି (ଚୋରା କପି) କମିବାରେ ସାହାଯ୍ୟ ମିଳିବ।
ବିଜୟ ନିଜେ ଚଳଚ୍ଚିତ୍ର ଜଗତରୁ ଆସିଥିବାରୁ, ସେ ଫିଲ୍ମ ପ୍ରଯୋଜକ ଏବଂ ଥ୍ରୀଏଟର ମାଲିକମାନଙ୍କର ଏହି ବହୁ ଦିନର ସମସ୍ୟାକୁ ବୁଝିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଏହି ଐତିହାସିକ ନିଷ୍ପତ୍ତି ନେଇ ତାମିଲ ସିନେମା ଜଗତକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି।