ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି। ତାମିଲନାଡୁ ସରକାର ଏହି ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ କୌଣସି ରୋକ ନ ଲଗାଇ ତାମିଲନାଡୁ ସରକାରଙ୍କୁ ପ୍ରଥମ ଝଟ୍କା ଦେଇଛନ୍ତି।
ସୁପ୍ରିମକୋର୍ଟରେ ବିଚାରପତି ଅରବିନ୍ଦ କୁମାର ଏବଂ ବିଚାରପତି ବିପୁଲ ଏମ. ପଞ୍ଚୋଲି ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ତାମିଲନାଡୁର ଆବେଦନ ଉପରେ ମୂଳ ଆବେଦନକାରୀ ରାମା ରବିକୁମାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି, କିନ୍ତୁ ଉଚ୍ଚନ୍ୟାୟଳୟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି।
ସୁପ୍ରିମକୋର୍ଟ ଏହି ମାମଲାକୁ ଅନ୍ୟାନ୍ୟ ବିଚାରାଧୀନ ମାମଲା ସହ ଯୋଡ଼ି ଶୁଣାଣିକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫଙ୍କ ସରକାର ଏହି ମାମଲାରେ ୬ ଜାନୁଆରୀ, ୨୦୨୬ରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ହାଇକୋର୍ଟର ଡିଭିଜନ ବେଞ୍ଚ ୧ ଡିସେମ୍ବର, ୨୦୨୫ରେ ସିଙ୍ଗଲ ବେଞ୍ଚ ଦେଇଥିବା ଆଦେଶକୁ ବଜାୟ ରଖି ତତ୍କାଳୀନ ଏମ. କେ. ଷ୍ଟାଲିନ ସରକାରଙ୍କୁ ଝଟ୍କା ଦେଇଥିଲେ।
ସିଙ୍ଗଲ ଜଜଙ୍କ ଆଦେଶକୁ ଯଥାର୍ଥ ବୋଲି ଦର୍ଶାଇ ଡିଭିଜନ ବେଞ୍ଚ ୬ ଜାନୁଆରୀର ଆଦେଶରେ କହିଥିଲେ ଯେ, ଏହି ଧାର୍ମିକ ପରମ୍ପରା ଯୋଗୁ ଆଇନ-ଶୃଙ୍ଖଳା ବିଗଡ଼ିଯିବାର ଆଶଙ୍କା ବାସ୍ତବରେ ନିଜ ସୁବିଧା ପାଇଁ ସୃଷ୍ଟି କରାଯାଇଥିବା ଏକ ‘କାଳ୍ପନିକ ଭୟ’ ମାତ୍ର।