ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିର ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସହାୟତା ରାଶି ପଠାଯାଇଛି।
ଏହି ଅବସରରେ ଗଞ୍ଜାମ ଜିଲାର ୨,୩୯,୨୨୦ ଚାଷୀ ପରିବାରଙ୍କୁ ମୋଟ୍ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କା ସହାୟତା ମିଳିଛି। ଏଥିରେ ୨,୩୭,୪୯୭ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ୪୭ କୋଟି ୪୯ ଲକ୍ଷ ୯୪ ହଜାର ଟଙ୍କା ଏବଂ ୧,୭୨୫ ଭୂମିହୀନ ଚାଷୀ ପରିବାରଙ୍କୁ ୭୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଭି. କୀର୍ତ୍ତି ଭାସନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଯୋଗଦେଇ ଯୋଜନାର ଉଦ୍ଦେଶ୍ୟ ଓ ଚାଷୀଙ୍କ ପାଇଁ ଏହାର ଗୁରୁତ୍ୱ ସମ୍ପର୍କରେ କହିଥିଲେ।
ପରେ ହିତାଧିକାରୀ ଚାଷୀଙ୍କୁ ସହାୟତା ରାଶିର ଚେକ୍ ବଣ୍ଟନ କରାଯାଇଥିଲା। ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଚାଷୀମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଦେଖିଥିଲେ।