ପଞ୍ଜୀକରଣ ଅନୁଯାୟୀ ୫୧ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୨୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଟିକା କିଭଳି ଦିଆଯିବ ତାହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ପ୍ରଥମେ ୫୧ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ । ଯଦି ଏଥିରେ କେହି ଅସୁସ୍ଥ ହୁଅନ୍ତି ତା’ର ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେଜରିୱାଲ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ ସୁସ୍ଥତା ହାର ବୃଦ୍ଧି ପାଇଛି । ଏବେ ଲୋକେ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ତେବେ କରୋନା ଟିକା କିଭଳି ଭାବେ ଓ କେଉଁମାନଙ୍କୁ ପ୍ରଥମେ ଦିଆଯିବ ସେ ନେଇ ପ୍ରସ୍ତୁତି ସରିଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ଏହାପରେ ଆଗ ଧାଡିର କରୋନା ଯୋଦ୍ଧା ସେମିତିକି ପୋଲିସ, ସଫେଇ କର୍ମଚାରୀଙ୍କୁ ଦିଆଯିବ । ଦିଲ୍ଲୀରେ ଏମାନଙ୍କ ସଂଖ୍ୟା ରହିଛି ପାଖାପାଖି ୬ ଲକ୍ଷ । ଏହାପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଅଥବା ୫୦ ବର୍ଷରୁ କମ୍ ଯେଉଁମାନେ ଡାଇବେଟିସ, କିଡ୍‌ନୀ ଓ ହୃଦରୋଗ ଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ କରୋନା ଟିକା ଦିଆଯିବ । ଏମାନଙ୍କ ସଂଖ୍ୟା ପାଖାପାଖି ୪୨ ଲକ୍ଷ ବୋଲି କୁହାଯାଇଛି । ଏହିଭଳି ଭାବେ ପ୍ରଥମେ ୫୧ ଲକ୍ଷ ଲୋକଙ୍କୁ ଦିଲ୍ଲୀରେ କରୋନା ଟିକା ଦିଆଯିବ ବୋଲି କେଜରିୱାଲ ସରକାର ଘୋଷଣା କରିଛନ୍ତି । ଯେଉଁମାନେ ଏଥିପାଇଁ ରେଜିଷ୍ଟ୍ରେଶନ କରିଛନ୍ତି ସେମାନଙ୍କୁ ଫୋନ ମାଧ୍ୟମରେ ଡକାଯାଇ ଟିକା ଦିଆଯିବ ।

Share