ଭୁବନେଶ୍ବର,୧୬।୩(ସୁନିତ୍ ମିଶ୍ର): କଟକ ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣାରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ ଯୋଗେ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । SCB ମେଡିକାଲ ସମ୍ପର୍କରେ ସେ ବିସୃତ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, “ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ମୁଁ ତାଙ୍କୁ ଅବଗତ କରାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି ।”
ଆଜି ସକାଳୁ ମୁଁ ନିଜେ ଏସସିବି ଗସ୍ତ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ସମ୍ପୃକ୍ତ ବିଭାଗ ଓ ଟିମ୍ ପୂର୍ଣ୍ଣ ସମନ୍ୱୟର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମ୍ବେଦନଶୀଳ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ଉଦ୍ବେଗ ଏବଂ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

