Categories: ଜାତୀୟ

ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ରବିବାର ସ୍ପିକରଙ୍କୁ ସେମାନଙ୍କର ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନେ ପ୍ରାୟ ୯୨ ଜଣ ସଦସ୍ୟ ରହିଛନ୍ତି । ଏହି ରାଜନୈତିକ ସଙ୍କଟ ମଧ୍ୟରେ ଅନ୍ୟ ଦଳମାନେ ଟିପ୍ପଣି କରିବା ଆରମ୍ଭ କରିଛନ୍ତି ।
ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜସ୍ଥାନ ଘଟଣାକ୍ରମକୁ ନେଇ କହିଛନ୍ତି କଂଗ୍ରେସ ସେଠାରେ ନିଜ ଘର ସମ୍ଭାଳି ପାରୁ ନାହିଁ । ସେ କହିଛନ୍ତି କଂଗ୍ରେସ ଓ ଭାଜପା ଯୋଡିବା ଭାଙ୍ଗିବା ରାଜନୀତି କରୁଛନ୍ତି । ସେମାନେ ଓଲଟା କହୁଛନ୍ତି କେଜରିୱାଲ ମାଗଣା ଦେବା ବନ୍ଦ କର । ଆଜି ସାରା ଦେଶରେ ଆମ ଆଦମୀ ପାର୍ଟି(ଏଏପି) ଉପରେ ଭରସା ରହିଛି । ଆମକୁ ରାଜନୀତି ଆସେନାହିଁ । ଆମେ ଜନତାଙ୍କ ପାଇଁ କାମ କରୁଛୁ । ସ୍କୁଲ-ହସ୍ପିଟାଲ ଗଢୁଛୁ । ସେହି କାମ କରୁଛୁ ଯାହା ଜନତାଙ୍କର ଆବଶ୍ୟକ । ଜନତାଙ୍କୁ ଭାଙ୍ଗିବା ଯୋଡିବା ରାଜନୀତି ପସନ୍ଦ ନୁହେଁ ।

Share