Categories: ଜାତୀୟ

ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିଓ୍ବାଲ! ଗୋଆ ଗସ୍ତରେ ଯିବେ…

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଏଡ଼ାଇ ଯାଇପାରନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଥିଲା। ହେଲେ କେଜ୍‌ରିଓ୍ବାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି। ସେ ଧାର୍ଯ୍ୟ ସମୟ ଅର୍ଥାତ ଗୁରୁବାର ଗୋଆ ଯିବେ। ସେଠାରେ ସେ ଆଗାମୀ ଲୋକ ସଭା ନିର୍ବାଚନ ଲାଗି ରାଜ୍ୟରେ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ବୁଧବାର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଖବରଦାତାଙ୍କ ପ୍ରଶ୍ନର ଜବାବରେ କେଜ୍‌ରିଓ୍ବାଲ କହିଥିଲେ, ଆମେ ଆଇନ ଅନୁଯାୟୀ କାମ କରିବୁ। ହେଲେ ଭାଜପା ଲଗାତାର ଭାବେ ତାଙ୍କୁ ପଳାତକ ଭାବେ ବ୍ୟବହାର କରୁଥିବା କହି କଟାକ୍ଷ କରୁଛି। ଆଗାମୀ ଦିନରେ ଇଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଦଳର ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି।

କହିରଖୁଛୁ, ପୂର୍ବରୁ କେଜ୍‌ରିଓ୍ବାଲଙ୍କୁ ଗତ ୩ ଥର ସମନ(ନଭେମ୍ବର ୨, ଡିସେମ୍ବର ୨୨ ଏବଂ ଜାନୁୟାରୀ ୩)କୁ ଅବୈଧ ଏବଂ ରାଜନୀତି ପ୍ରଣୋଦିତ କହି ଏଡାଇ ଯାଇଥିଲେ। ଏହାପରେ ଜାନୁଆରୀ ୧୩ରେ ଇଡି ଚତୁର୍ଥ ସମନ ପଠାଇଥିଲା। ଏଏପି ଦ୍ୱାରା କେଜ୍‌ରିଓ୍ବାଲ ଙ୍କ ୩ ଦିନିଆ ଗୋଆ ଗସ୍ତ ନେଇ ଘୋଷଣା କରାଯିବାର ଦିନକ ପରେ ଏହି ସମନ ଜାରି କରାଯାଇଥିଲା। ନିର୍ବାଚନ ପ୍ରଚାରକୁ ରୋକିବା ଲାଗି ଇଡି ସମନ ପଠାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।

Share