Posted inଜାତୀୟ

ଏପଟେ ବନ୍ଦ, ସେପଟେ ଖୋଲା

ନୂଆଦିଲ୍ଲୀ/ମୁମ୍ବାଇ,୪ା୮(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ଆଇଏଲ୍‌) ବଜାରକୁ ୧୬,୪୯୯ ଟଙ୍କିଆ ଜିଓବୁକ୍‌ ଆଣିବା ପରେ ଗୁରୁବାର କେନ୍ଦ୍ର ସରକାର ବିଦେଶରୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଓ ପର୍ସନାଲ କମ୍ପ୍ୟୁଟର (ପିସି) ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ଗୁରୁତ୍ୱ ଦେଇ ଏବଂ ଚାଇନାରୁ ଲାପ୍‌ଟପ୍‌ ଓ ଟାବ୍‌ଲେଟ୍‌ ଆମଦାନୀ ରୋକିବା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଥିଲେ ହେଁ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ପ୍ରତି ଥିବା ମୋଦି ସରକାରଙ୍କ ପ୍ରୀତିକୁ ଦେଖିଲେ ଏହି ଆମଦାନୀ କଟକଣା ପଛରେ ଥିବା ଭିନ୍ନ ଉଦ୍ଦେଶ୍ୟକୁ ବୁଝିବା କଷ୍ଟକର ନୁହେଁ। ଗୋଟିଏ ପଟେ ବିଦେଶରୁ ଆମଦାନୀ ବନ୍ଦ କରି ସ୍ବଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବାଲାଗି ପ୍ରଚେଷ୍ଟା କରାଯାଉଥିବା କୁହାଯାଉଥିବାବେଳେ ଅନ୍ୟପଟେ ନିର୍ଦ୍ଦିଷ୍ଟ କମ୍ପାନୀର ବ୍ୟବସାୟକୁ ସୁହାଇଲା ଭଳି ନୀତି ଆପଣାଯାଉଛି। ତେଣୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଉତ୍ପାଦନକାରୀ ଦେଶର ଅନ୍ୟ କମ୍ପାନୀଗୁଡ଼ିକ ଏଥିରୁ ବିଶେଷ ଉପକୃତ ହୋଇ ନ ପାରନ୍ତି ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ବିଦେଶରୁ ଆମଦାନୀ ବନ୍ଦ ହେବା ଦ୍ୱାରା ଦେଶ ଭିତରେ ନିର୍ମିିତ ଲାପ୍‌ଟପ୍‌ ଓ ଟାବ୍‌ଲେଟ୍‌ଗୁଡ଼ିକର ଦାମ୍‌ ବଢ଼ିଯିବ। ଫଳରେ ଭାରତୀୟ ଛାତ୍ରୀଛାତ୍ର ଓ ପେସାଦାରମାନେ ଚଢ଼ା ଦରରେ ସେଗୁଡ଼ିକୁ କିଣିବାକୁ ବାଧ୍ୟ ହେବେ।

ଭାରତ ସରକାରଙ୍କ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ ପକ୍ଷରୁ ଅଗଷ୍ଟ ୩ରେ ଏକ ନୋଟିସ ଜାରି କରାଯାଇଛି। ଉକ୍ତ ନୋଟିସ ଅନୁସାରେ ଏଣିକି ବିଦେଶରୁ ଲାପ୍‌ଟପ୍‌, ଟାବଲେଟ୍‌, ଅଲ୍‌-ଇନ୍‌-ଓ୍ବାନ୍‌ ପର୍ସନାଲ କମ୍ପ୍ୟୁଟର ଏବଂ ଏଚ୍‌ଏସ୍‌ଏନ୍‌ ୮୭୪୧ ଅଧୀନରେ ଆସୁଥିବା ସର୍ଭରଗୁଡ଼ିକର ଆମଦାନୀକୁ ତତ୍କାଳ ବନ୍ଦ କରାଯାଇଛି। ଏଗୁଡ଼ିକର ସୀମିତ ଆମଦାନୀ ପାଇଁ ବୈଧ ଲାଇସେନ୍ସ ଆବଶ୍ୟକ ବୋଲି ଏଥିରେ କୁହାଯାଇଛି। ଆମଦାନୀ କଟକଣା ପରିସର ମଧ୍ୟରେ ଆସୁଥିବା ଅନ୍ୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡ଼ିକ ହେଲା ପାମ୍‌ଟପ୍‌, ଅଟୋମେଟିକ୍‌ ଡେଟା ପ୍ରୋସେସିଂ ମେଶିନ, ମାଇକ୍ରୋକମ୍ପ୍ୟୁଟର/ପ୍ରୋସେସର ଏବଂ ଲାର୍ଜ/ମେନ୍‌ଫ୍ରେମ୍‌ କମ୍ପ୍ୟୁଟର। ଏଚ୍‌ଏସ୍‌ଏନ୍‌ ୮୪୭୧ କୋଡ୍‌ ଅଧୀନ ଉକ୍ତ ବର୍ଗର ଉତ୍ପାଦ ଆମଦାନୀ ଉପରେ କଟକଣା
ଜାରି କରାଯାଇଥିଲେ ହେଁ ଏହି ନିୟମ ବ୍ୟାଗେଜ୍‌ ରୁଲ୍ସ ଅଧୀନରେ ଆମଦାନୀ ବେଳେ ଲାଗୁ ହେବ ନାହିଁ, କିନ୍ତୁ ଉତ୍ପାଦ ଉପରେ ଶୁଳ୍କ ଲାଗିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅର୍ଥାତ୍‌ ବିଦେଶରେ କେହି ଭାରତୀୟ ଲାପ୍‌ଟପ କିମ୍ବା ଟାବଲେଟ୍‌ ବ୍ୟବହାର କରୁଥିଲେ ତାକୁ ସାଙ୍ଗରେ ଧରି ସ୍ବଦେଶକୁ ଫେରିଲେ ବିମାନବନ୍ଦରରେ ତାଙ୍କ ବ୍ୟାଗ୍‌ ଯାଞ୍ଚବେଳେ ଛାଡ଼ି ଦିଆଯିବ। ସେହିପରି ଇ-କମର୍ସ ପୋର୍ଟାଲଗୁଡ଼ିକରୁ ପୋଷ୍ଟାଲ ବା କୋରିୟର ସର୍ଭିସ ଜରିଆରେ ଲାପଟପ୍‌ ଅର୍ଡର କଲେ ଏହା ଉପରେ ଲାଇସେନ୍ସିଂ ଆବଶ୍ୟକ ହେବ ନାହିଁ। ସରକାରୀ ନୋଟିଫିକେଶନ୍‌ରେ ଆହୁରି କୁହାଯାଇଛି ଯେ, ଗବେଷଣା ଓ ଉନ୍ନୟନ (ଆର୍‌ଆଣ୍ଡ୍‌ଡି), ଯାଞ୍ଚ, ବେଞ୍ଚମାର୍କିଂ ଓ ମୂଲ୍ୟାଙ୍କନ, ମରାମତି ଓ ପୁନଃ ରପ୍ତାନି ଏବଂ ଉତ୍ପାଦ ବିକାଶ ଲକ୍ଷ୍ୟରେ ଏଗୁଡ଼ିକର ଆମଦାନୀ ଉପରେ ମଧ୍ୟ ସରକାର ଏହ ନିୟମକୁ କୋହଳ କରିଛନ୍ତି। କିନ୍ତୁ ସେଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହୋଇଥିବା ଦରକାର, ବିକ୍ରି ଉଦ୍ଦେଶ୍ୟରେ ନୁହେଁ। ବ୍ୟବହାର ପରେ ସେଗୁଡ଼ିକୁ ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।
ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହି କଟକଣା ଫଳରେ ନିକଟରେ ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପ ପାଇଁ କେନ୍ଦ୍ର ଆଣିଥିବା ପ୍ରଡକ୍ଟ-ଲିଙ୍କ୍‌ଡ ଇନିସିଏଟିଭ୍‌ (ପିଏଲ୍‌ଆଇ) ଯୋଜନାକୁ ବଳ ମିଳିବ। କାରଣ ଦେଶରେ ଥିବା ଆଇଟି କମ୍ପାନୀଗୁଡ଼ିକ ଅଧିକରୁ ଅଧିକ ଉତ୍ପାଦ ନିର୍ମାଣ କରି ସ୍ଥାନୀୟ ବଜାରରେ ବିକ୍ରି କରିପାରିବେ। ଗତ ମେ’ରେ ଏହି ସ୍କିମ୍‌କୁ ରିଭାଇଜ୍‌ କରି ୧,୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା, ଯାହାକି ୨୦୨୧ରେ ପ୍ରଥମେ ଘୋଷଣା କରାଯାଇଥିବା ଯୋଜନା ଅର୍ଥର ତିନିଗୁଣା। ଭାରତକୁ ଅଧିକାଂଶ ଲାପ୍‌ଟପ୍‌, ସର୍ଭର ଓ ପିସି ଭଳି ଉତ୍ପାଦ ଚାଇନାରୁ ଆସିଥାଏ। ତେଣୁ ଚାଇନା ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ହେଲା ଏହି କଟକଣା ଜାରି ପଛରେ ଅନେକ କାରଣ ରହିଛି। ଭାରତୀୟ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତହିଁରୁ ଅନ୍ୟତମ। ବିଦେଶରୁ ଆସୁଥିବା ଉତ୍ପାଦଗୁଡ଼ିକରେ ସିକ୍ୟୁରିଟି ରିସ୍କ ରହିଥିବାରୁ ସେଗୁଡ଼ିକର ବ୍ୟବହାର ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯାଇଛି। କେତେକ ହାର୍ଡଓ୍ବେରରେ ଏପରି ଇସ୍ୟୁ ରହିଛି, ଯାହାକି ୟୁଜର୍ସଙ୍କ ବ୍ୟକ୍ତିଗତ ଡେଟା ଓ ଅନ୍ୟ ସମ୍ବେଦନଶୀଳ ତଥ୍ୟ ସହ ସାଲିସ କରିପାରେ। ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ନିୟମାବଳୀକୁ ଦୃଷ୍ଟିରେ ରଖି ଏହାକୁ ମଧ୍ୟ ଧ୍ୟାନ ଦିଆଯାଇଛି। ତେବେ ବିଦେଶୀ ବାଣିଜ୍ୟ ନୀତି (ଏଫ୍‌ଟିପି) ଅଧୀନ ଟ୍ରାଞ୍ଜିଶନ ନିୟମାନୁସାରେ ଯଦି କ୍ରେଡିଟ୍‌ ଲେଟର ଓ ବିଲ୍‌ ଅଗଷ୍ଟ ୩ ପୂର୍ବରୁ କରାଯାଇଛି ତେବେ ଉତ୍ପାଦଗୁଡ଼ିକ ଭାରତ ଆସିବାରେ ଅସୁବିଧା ନାହିଁ। ଅଗଷ୍ଟ ୪ରୁ ଏଗୁଡ଼ିକର ଆମଦାନୀ ପାଇଁ ଟ୍ରେଡର୍ସଙ୍କୁ ନିୟମିତ ଆମଦାନୀ ଲାଇସେନ୍ସ ଜରୁରୀ।
କେନ୍ଦ୍ର ସରକାର ଏହି ପଦକ୍ଷେପ ଏଭଳି ସମୟରେ ନେଇଛନ୍ତି, ଯେତେବେଳେ କି ରିଲାଏନ୍ସ କମ୍ପାନୀ ଜିଓବୁକ୍‌ର ଦ୍ୱିତୀୟ ଭର୍ସନ ଲଞ୍ଚ କରିଛି। ୨୦୨୨ ଅକ୍ଟୋବରରେ ଜିଓବୁକକ୍‌ର ପ୍ରଥମ ସଂସ୍କରଣ ବଜାର ପ୍ରବେଶ କରିଥିବାବେଳେ ଗତ ସୋମବାର ଏହାର ଦ୍ୱିତୀୟ ଭର୍ସନକୁ ଲଞ୍ଚ କରାଯାଇଛି। ଜିଓବୁକ୍‌ର ମୂଲ୍ୟ ରଖାଯାଇଛି ୧୬,୪୯୯ ଟଙ୍କା। ସବୁ ବୟସ ବର୍ଗର ଲୋକଙ୍କ ପାଠପଢ଼ା ସୁବିଧା ଏଥିରେ ରହିଥିବା କୁହାଯାଉଛି। ଅଗଷ୍ଟ ୫ରୁ ‘ଇଣ୍ଡିଆଜ୍‌ ଫାର୍ଷ୍ଟ ଲର୍ନିଂ ବୁକ୍‌’ ନାମରେ ଏହା ରିଲାଏନ୍ସ ଡିଜିଟାଲରେ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ମିଳିବ। ସେହିପରି ଆମାଜନ୍‌ରେ ମଧ୍ୟ ଏହା ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri