ଦେଶୀ କରୋନା ଟିକାର ହେଲା ପରୀକ୍ଷଣ: ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭।୭: ଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ(Covaxin)କୁ ନେଇ ଆସିଛି ଖୁସି ଖବର। ଏବେ ଏହା ମାନବ ଶରୀରରେ ପରୀକ୍ଷଣ କରାଯାଇଛି। ହରିୟାଣାର ରୋହତକରେ ପିଜିଆଇରେ ଭଲ୍ୟୁଣ୍ଟିୟର୍ସଙ୍କ ପ୍ରଥମ ଗ୍ରୁପକୁ କୋଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯାଇଛି। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ଏହି ଟିକା ନେଇଥିବା ୩ ଜଣ ବ୍ୟକ୍ତି ଏବେ ସୁସ୍ଥ ଅଛନ୍ତି। ସେମାନଙ୍କ ଶରୀର ଏହି ଟିକାକୁ ସହଜରେ ଗ୍ରହଣ କରି ନେଇଛି ବୋଲି ସେ ମତ ରଖିଛନ୍ତି। ବିଶେଷ କରି ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ତେବେ ୧୮-୫୫ ବର୍ଷ ବୟସର ସୁସ୍ଥ ବ୍ୟକ୍ତିଙ୍କୁ ଏହି ଟିକା ୨ଟି ଡୋଜରେ ଦିଆଯିବ ବୋଲି କୁହାଯାଇଛି। ଫେଜ୍‌ ୧ ଟ୍ରାଏଲର ଦ୍ୱିତୀୟ ଡୋଜ ୧୪ ଦିନରେ ଦିଆଯିବ। ମୋଟ ୧,୧୨୫ ଜଣ ଭଲ୍ୟୁଣ୍ଟିୟର୍ସଙ୍କୁ ଏହି ଟିକା ଦିଆଯାଇ ପରୀକ୍ଷା କରାଯିବାର ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୫୦ ଜଣ ରହିଛନ୍ତି। କୋଭାକ୍ସିନ ଦେଶର ଭିନ୍ନ ଭିନ୍ନ ସହରରେ ଥିବା ପ୍ରାୟ ୧୨ଟି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କରାଯାଇଛି। ଏଥିରେ ଦିଲ୍ଲୀ, ରୋହତକ, ହାଇଦ୍ରାବାଦ, ବିଶାଖାପଟନମ୍‌, ପାଟନା, ଭୁବନେଶ୍ୱର, କାନପୁର, ଗୋରଖପୁର, ଚେନ୍ନାଇ,ଗୋଆ ଆଦି ସାମିଲ ଅଛନ୍ତି। ବିହାରର ପାଟନାରେ ଏହା ୪ ଦିନ ପୂର୍ବରୁ ପରୀକ୍ଷା କରାଯାଇଥିଲା। ତେବେ ଏହି ଭ୍ୟାକ୍ସିନ କୋଭିଡ -୧୯ ଅପେକ୍ଷା ଲିଭର ଓ ଫୁସଫୁସ୍‌ ଉପରେ କ’ଣ ପ୍ରଭାବ ପକାଉଛି ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି। ଏହି ଭ୍ୟାକ୍ସିନ ପରୀକ୍ଷାର ସମସ୍ତ ତଥ୍ୟ ଆଇସିଏମ୍‌ଆର୍‌ ନିକଟକୁ ପଠାଯିବ। ତେବେ ଏହି ଦେଶୀ ଭ୍ୟାକ୍ସିନ ଆସିବାକୁ ପାଖାପାଖି ୧ ବର୍ଷ ୩ ମାସ ସମୟ ଲାଗିପାରେ ବୋଲି କୁହାଯାଉଛି।

Share