ଜଳବାୟୁ ସତର୍କବାଣୀ

ସମ୍ପ୍ରତି ୟୁରୋପରେ ଘାତକ ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିଜନିତ ଉତ୍ତାପର ଶିକାର ହୋଇ ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଛନ୍ତି, ଯାହା ହେଉଛି ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବର ପରିସ୍ଫୁଟନ I
ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ବିଧ୍ୱଂସକାରୀ ଯୁଦ୍ଧର ଘନଘଟା ଭିତରେ ୨୦୨୨ ଫେବୃୟାରୀରେ ଉନ୍ମୋଚିତ ହୋଇଥିଲା ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃସରକାରୀ ଗୋଷ୍ଠୀ (ଆଇପିସିସି)ର ବିଶାରଦ ବୈଜ୍ଞାନିକମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟର ଦ୍ୱିତୀୟ ଅଧ୍ୟାୟ। ବିଶ୍ୱତାପନ ଏବଂ ଏହାର ପରିଣାମରେ ଘଟୁଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଏହି ବିଶ୍ଳେଷଣରେ ବହୁ ସମ୍ଭାବ୍ୟ ପ୍ରଳୟଙ୍କରୀ ଓ ଉଦ୍‌ବେଗ ସୃଷ୍ଟିକାରୀ ବିପଦସବୁର ସତର୍କ ସୂଚନା ପ୍ରଦତ୍ତ ହୋଇଛି। ତାପମାତ୍ରା ବୃଦ୍ଧିର ମୁଖ୍ୟ କାରକ ସାଜିଥିବା କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ଉତ୍ସରୁ ଉତ୍ସର୍ଗିତ ସବୁଜଗୃହ ବାଷ୍ପସବୁକୁ ଯଦି ଆମେ ଚଳିତ ଦଶନ୍ଧିରେ ଅର୍ଦ୍ଧେକସ୍ତରକୁ ହ୍ରାସ କରିବାରେ ବିଫଳ ହେଉ ଏବଂ ପରିବର୍ତ୍ତିତ ପରିବେଶ ସହ ତୁରନ୍ତ ଖାପ ଖୁଆଇବାରେ ଅସମର୍ଥ ହେଉ, ତେବେ ଆଗାମୀ ଭବିଷ୍ୟତରେ ଜୀବଜଗତ ନିଶ୍ଚିତରୂପେ ଅଧିକ ବିଧ୍ୱଂସକାରୀ ପ୍ରଭାବର ସମ୍ମୁଖୀନ ହେବ। ଏହି ବିବରଣୀ ହେଉଛି ବିଶେଷତଃ ସମ୍ବଳରହିତ ରାଷ୍ଟ୍ର ଏବଂ ଦାରିଦ୍ର୍ୟ ପ୍ରପୀଡ଼ିତ ସମ୍ପ୍ରଦାୟମାନଙ୍କ ଉପରେ ଆସନ୍ନବିପଦ ସମ୍ପର୍କରେ ଏକ ପ୍ରକୃଷ୍ଟ ପୂର୍ବାନୁମାନ। ଏପ୍ରିଲରେ ପ୍ରକାଶିତ ରିପୋର୍ଟର ତୃତୀୟ ଅଧ୍ୟାୟରେ ସବୁଜଗୃହ ବାଷ୍ପ ହ୍ରାସ ଉପାୟ ସମ୍ପର୍କରେ ବିଶ୍ଳେଷଣ ହେବା ସହ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଏବଂ ବିଶ୍ୱ ଅର୍ଥ ବ୍ୟବସ୍ଥାର ସ୍ବଳ୍ପ ଅଙ୍ଗାରକ ପର୍ଯ୍ୟାୟକୁ ରୂପାନ୍ତରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜଳବାୟୁ ବିପର୍ଯ୍ୟୟକୁ ଦୂର କରିବା ପରିପ୍ରେକ୍ଷୀରେ ଅନ୍ତିମ ସତର୍କବାଣୀରେ ଏହା ପ୍ରକାଶ କରିଛି ଯେ, ‘ବର୍ତ୍ତମାନ ନୁହେଁ ତ କେବେ ବି ନୁହେଁ।’
ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ଏହି ରିପୋର୍ଟକୁ ମାନବ ଦୁର୍ଦ୍ଦଶାର ଏକ ମାନଚିତ୍ର ଏବଂ ବିଶ୍ୱ ଜଳବାୟୁ ନେତୃତ୍ୱର ବିଫଳତାର ଚିତ୍ରଣ ବୋଲି ଅଭିହିତ କରିଛନ୍ତି।
ଏହି ଚିନ୍ତାଜନକ ବିଶ୍ଳେଷଣ କ୍ରମବର୍ଦ୍ଧିତ ତାପମାତ୍ରାର ଜୈବବିବିଧତା, ଖାଦ୍ୟ ନିରାପତ୍ତା, ଅର୍ଥନୀତି ଏବଂ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟ ଉପରେ ସମ୍ଭାବ୍ୟ ପ୍ରଭାବ ଏବଂ ଚରମ ପାଣିପାଗ ଘଟଣାଗୁଡ଼ିକର ଭୟଙ୍କରତା ସମ୍ପର୍କରେ ଚେତାବନୀ ପ୍ରଦାନ କରିଛି। ବିଶ୍ୱ ସମ୍ବଳ ପ୍ରତିଷ୍ଠାନର କେଲି ଲେଭିନ୍‌ ଓ ସାଥୀ ତାଙ୍କ ଲିଖିତ ପ୍ରବନ୍ଧରେ ଜଳବାୟୁ ପ୍ରଭାବ, ବିପଦପ୍ରବଣତା ଏବଂ ଉପଯୋଗୀକରଣ ଉପରେ ରିପୋର୍ଟର ଛଅଟି ମୁଖ୍ୟ ଉପଲବ୍ଧିକୁ ଉପସ୍ଥାପନ କରିଛନ୍ତି। ପ୍ରଥମ, ଜଳବାୟୁ ପ୍ରଭାବ କ୍ରମଶଃ ପୂର୍ବାନୁମାନ ଅପେକ୍ଷା ଅଧିକ ବ୍ୟାପକ ଓ ଭୟଙ୍କର ରୂପେ ଅନୁଭୂତ ହେଉଛି। ଦ୍ୱିତୀୟ, ଆଗାମୀ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ସୃଷ୍ଟ ଅଧିକ ଅନିଷ୍ଟକାରୀ ପ୍ରଭାବରେ ଆମେ ଜର୍ଜରିତ ହେବାକୁ ଯାଉଛେ। ତୃତୀୟ, ବର୍ଦ୍ଧିତ ତାପମାତ୍ରା ସହିତ ସଂପୃକ୍ତ ବହୁବିଧ ବିପଦ ଆଗକୁ ଦ୍ରୁତବେଗରେ ବୃଦ୍ଧି ପାଇବ, ଯାହା ଅପରିବର୍ତ୍ତନୀୟ ପ୍ରଭାବମାନ ସୃଷ୍ଟି କରିବ। ଚତୁର୍ଥ, ମାନବ ସମାଜରେ ଅସମାନତା, ସଂଘର୍ଷ ଏବଂ ବିକାଶ ପ୍ରକ୍ରିୟାର ଆହ୍ବାନ ଜଳବାୟୁ ବିପଦ ପ୍ରତି ଆମ ଦୁର୍ବଳତାରେ ବୃଦ୍ଧି ଘଟାଇବ। ପଞ୍ଚମ, ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ଭାବ୍ୟ ସମାଧାନର ପନ୍ଥା ଉପଲବ୍ଧ ହେଲେ ମଧ୍ୟ ମୁଖ୍ୟ ଆହ୍ବାନ ହେଉଛି ଅସୁରକ୍ଷିତ ଗୋଷ୍ଠୀଙ୍କ ପାଖରେ ତାହା ପହଞ୍ଚତ୍ବାର ଅନିଶ୍ଚିତତା। ଷଷ୍ଠ, ଜଳବାୟୁ ପରିବର୍ତ୍ତନର କିଛି ପ୍ରଭାବ ଏପରି ଭୟଙ୍କର ସ୍ଥିତିରେ ଉପନୀତ ହେଲାଣି ଯେ ଏହା ସହ ଖାପ ଖୁଆଇବା ଅତ୍ୟନ୍ତ କଷ୍ଟସାଧ୍ୟ। ୨୦୧୫ର ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଅନୁଯାୟୀ ତାପମାତ୍ରା ବୃଦ୍ଧିକୁ ଅସମ୍ଭବବୋଧ ହେଉଥିବା ଦେଢ଼ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରୋକିବାରେ ଆମେ ସମର୍ଥ ହେଲେ ମଧ୍ୟ ଏହା ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ଏବଂ ଏଥି ମଧ୍ୟରୁ କିଛି କ୍ଷତି ଅପରିବର୍ତ୍ତନୀୟ ସାଧିତ ହେବ।
ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ଦଶନ୍ଧିରେ ଜଳବାୟୁ ପ୍ରଭାବରୁ ୩୨ରୁ ୧୩୨ ନିୟୁତ ପର୍ଯ୍ୟନ୍ତ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ମାତ୍ର ୧.୧ ଡିଗ୍ରୀର ଉତ୍ତାପ ବୃଦ୍ଧିରେ ଏବେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ମରୁଡ଼ି, ବୃଷ୍ଟିପାତ, ବନ୍ୟା, ଝଡ଼ବାତ୍ୟା, ଭୂସ୍ଖଳନ ଇତ୍ୟାଦି ପ୍ରକଟିତ ହେଉଛି, ଯାହା ଲୋକଙ୍କର ଖାଦ୍ୟ ନିରାପତ୍ତା ଏବଂ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି I ଭାରତ ସହ ଅନ୍ୟ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସମ୍ପ୍ରତି ଏପରି ବିପର୍ଯ୍ୟୟସବୁର ସମ୍ମୁଖୀନ ହୋଇଚାଲିଛନ୍ତି। ଶସ୍ୟ ଉତ୍ପାଦନ ବ୍ୟାହତ ହେବା ସହ ଉତ୍କଟ ଜଳାଭାବ ସମସ୍ୟା ୨୦୫୦ ସୁଦ୍ଧା ଭାରତର ୪୦% ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ୨୦୩୦ ସୁଦ୍ଧା ବିଶ୍ୱର ଅତିରିକ୍ତ ୩୫ କୋଟି ଲୋକ ଜଳକ୍ଳିଷ୍ଟତାର ସମ୍ମୁଖୀନ ହେବେ। ସମୁଦ୍ର ପତ୍ତନର ଉତ୍ଥାନ ଉପକୂଳାଞ୍ଚଳକୁ ଅଧିକ ଜଳମଗ୍ନ ତଥା କୃଷି ପାଇଁ ଅନୁପଯୁକ୍ତ କରିବ, ସମୁଦ୍ର ନିୟମିତ କୂଳ ଲଙ୍ଘିବ, ଉପକୂଳ ଅବକ୍ଷୟରେ ବୃଦ୍ଧି ଘଟିବ ଏବଂ ଉପକୂଳବର୍ତ୍ତୀ ସହର ଓ ବସତିଗୁଡ଼ିକ ବର୍ଦ୍ଧିତ ବିପଦର ସମ୍ମୁଖୀନ ହେବେ। ୨୦୩୦ ସୁଦ୍ଧା ସ୍ଥଳଭାଗର ପ୍ରାୟ ୧୪ ଶତାଂଶ ଜୀବଜାତି ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ବନାଗ୍ନି ପୂର୍ବାପେକ୍ଷା ଅଧିକ ଅଞ୍ଚଳକୁ ବ୍ୟାପୁଛି, ଯାହା ପ୍ରାକୃତିକ ଭୂଭାଗ ତଥା ଜୈବବିବିଧତାରେ ଅବକ୍ଷୟ ଘଟାଉଛି। ଆଗାମୀ ଦିନରେ ବୃହତାକାର ବୃକ୍ଷସବୁ ଅଧିକ ସଂଖ୍ୟାରେ ହ୍ରାସ ପାଇବେ। ସାମୁଦ୍ରିକ ତଥା ଉପକୂଳ ପରିସଂସ୍ଥାର ଜୁଆରିଆ ସନ୍ତସନ୍ତିଆ ବାସସ୍ଥଳୀ, ହେନ୍ତାଳ ବନ, ସମୁଦ୍ର ଘାସ, ପ୍ରବାଳ ପରିସଂସ୍ଥା ଏବଂ ପ୍ଲାଙ୍କ୍‌ଟନ ସମ୍ପ୍ରଦାୟ ଇତ୍ୟାଦିର ଜୈବବିବିଧତାରେ କ୍ରମେ ଅବନତି ଘଟୁଛି I
ବିକାଶଶୀଳ ରାଷ୍ଟ୍ରମାନଙ୍କର ସହରାଞ୍ଚଳର ଅବ୍ୟବସ୍ଥିତ, ଦ୍ରୁତ ବୃଦ୍ଧିପ୍ରାପ୍ତ ବସ୍ତି ଅଞ୍ଚଳରେ ଜଳବାୟୁର ପ୍ରଭାବ ତୀବ୍ର ଅନୁଭୂତ ହେବ, ଯେଉଁଠାରେ ବିପର୍ଯ୍ୟସ୍ତ ବାସଗୃହ, ମୌଳିକ ସେବାର ପର୍ଯ୍ୟାପ୍ତ ଅଭାବ ଏବଂ ସମ୍ବଳର ସୀମିତତା ମୁଖ୍ୟ ପ୍ରତିବନ୍ଧକ। ଏସିଆ ମହାଦେଶରେ ଏବେ ୫୨୯ ନିୟୁତ ଲୋକ ଏବଂ ଉପ-ସାହାରା ଆଫ୍ରିକାର ପ୍ରାୟ ୬୦% ଲୋକ ଏପରି ଅସୁରକ୍ଷିତ ଅଞ୍ଚଳରେ ଜୀବନ ନିର୍ବାହ କରୁଛନ୍ତି I
ଆଇପିସିସି ପ୍ରକାଶ କରିଛି ଯେ, ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ୨୦୩୦ ଏବଂ ୨୦୫୦ ସୁଦ୍ଧା ଉପଯୋଗୀକରଣ କ୍ଷେତ୍ର ନିମନ୍ତେ ଯଥାକ୍ରମେ ୧୨୭ ଏବଂ ୨୯୫ ବିଲିୟନ ଡଲାରର ଅର୍ଥ ଆବଶ୍ୟକ। ଏଥିରେ ତିନୋଟି ପ୍ରମୁଖ ପ୍ରକ୍ରିୟା ଅନ୍ତର୍ଭୁକ୍ତ: ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ, ଯାହା ସମାନତା ଏବଂ ନ୍ୟାୟ ପ୍ରଦାନକୁ ଉନ୍ନତ କରେ; ପରିସଂସ୍ଥା ଆଧାରିତ ଉପଯୋଗୀକରଣ, ଯାହା ପ୍ରାକୃତିକ ପରିବେଶର ସୁରକ୍ଷା, ପୁନରୁଦ୍ଧାର ଏବଂ ସହନୀୟ ପରିଚାଳନାକୁ ଗୁରୁତ୍ୱ ଦିଏ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମି, ଯାହା ବିଭିନ୍ନ କ୍ଷେତ୍ରରେ ସ୍ଥିରତାକୁ ସୁଦୃଢ଼ କରେ।
ଆଇପିସିସି ରିପୋର୍ଟ ଅତ୍ୟନ୍ତ ସୁସ୍ପଷ୍ଟ ଯେ, ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଜନସମାଜ, ଜୀବଜଗତ ଏବଂ ଆମ ଗ୍ରହର କଲ୍ୟାଣ ସାଧନ ପଥରେ ବିନାଶକାରୀ ପ୍ରକ୍ରିୟାର ସୂତ୍ରପାତ କରୁଛି। ଏପରି ଦୃଶ୍ୟପଟ୍ଟରେ ଜଳବାୟୁ ପ୍ରଭାବଶାଳୀ ଉପଯୋଗୀକରଣ ଏବଂ ଉପଶମ ନିମନ୍ତେ କାର୍ଯ୍ୟାବଳୀ ପ୍ରସ୍ତୁତ ଏବଂ ସମ୍ବେଦନଶୀଳ ଯୋଜନା ପ୍ରଣୟନ ସହିତ ପ୍ରଶାସନିକ ବ୍ୟବସ୍ଥା, ନାଗରିକ ସମାଜ ଏବଂ ବେସରକାରୀ କ୍ଷେତ୍ର ସମସ୍ତେ ସଂଶୋଧିତ ପଥରେ ଅଗ୍ରସର ହେବା ହେଉଛି ଆଜିର ଆହ୍ବାନ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର, ମୋ-୯୪୩୭୦୭୬୧୦୦

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri