ମୃତ୍ୟୁ ପ୍ରମାଣପତ୍ର ଦେବାକୁ କିରାଣି ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭବାନୀପାଟଣା,୨୪ା୮(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ସିଏଚ୍‌ସି କନିଷ୍ଠ କିରାଣି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନିଷ୍ଠ କିରାଣି ଏମ୍‌ ଦିବ୍ୟଜ୍ୟୋତି ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବିପିଏଲ କାର୍ଡଧାରୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଉକ୍ତ ଗ୍ରାମର ଆଉ ୫ଜଣ ବ୍ୟକ୍ତି ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଗୋଟିଏ ସାର୍ଟିଫିକେଟକୁ ୩ ହଜାର ଟଙ୍କା ହିସାବରେ ଉପରୋକ୍ତ ୬ ଜଣ ବ୍ୟକ୍ତିଙ୍କୁ ୧୮ ହଜାର ଟଙ୍କା ସେ ଦାବି କରିଥିଲେ। ସେହିପରି ଏହି ଟଙ୍କାକୁ ୨ ପର୍ଯ୍ୟାୟରେ ଦେବା ପାଇଁ ସେମାନଙ୍କୁ କିରାଣି କହିଥିଲେ। ବୁଧବାର ପ୍ରଥମ ପର୍ଯ୍ୟାୟରେ ୯ ହଜାର ଟଙ୍କା ବିପିଏଲ କାର୍ଡଧାରୀ କନିଷ୍ଠ କିରାଣି ଦିବ୍ୟଜ୍ୟୋତିଙ୍କୁ ଦେଉଥିବାବେଳେ ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଦିବ୍ୟଜ୍ୟୋତିଙ୍କଠାରୁ ଭିଜିଲାନ୍ସ ବିଭାଗ ୯ ହଜାର ଟଙ୍କା ଜବତ କରିଥିଲା। ଏ ନେଇ ଭିଜିଲାନ୍ସ ବିଭାଗ ୨୮/୨୨ରେ ଏକ ମାମଲା ରୁଜୁ କରି ଦିବ୍ୟଜ୍ୟୋତିଙ୍କୁ ଗିରଫ କରିଛି। ଏହି ଚଢ଼ାଉରେ କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।