ନୂଆଦିଲ୍ଲୀ,୬ା୮: କର୍ଣ୍ଣାଟକର ବେଲାଗାଭି ଜିଲାରେ ବୁଧବାର ପୋଲିସ ଜଣେ ୨୨ ବର୍ଷୀୟ ମୌଲବୀଙ୍କୁ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ମୌଲବୀଙ୍କ ନାମ ତୁଫେଲ ଆହମଦ ଦାଦାପୀର ନାଗରାଚୀ, ଯିଏ ବାଗଲକୋଟ ଜିଲାର ମହାଲିଙ୍ଗପୁରାରୁ ଅଟନ୍ତି। ଘଟଣାଟି ୨୦୨୩ ଅକ୍ଟୋବର ୫ ତାରିଖରେ ଏକ ମସଜିଦ ଭିତରେ ଘଟିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରକାଶ ପାଇଲା ଯେତେବେଳେ ଜଣେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତା ପୁନୀତ କେରେହାଲି ଏକ୍ସରେ ନାବାଳିକାଙ୍କ ପିତାମାତାଙ୍କ ସହ କଥୋପକଥନର ଏକ ଭିଡିଓ ପୋଷ୍ଟ କଲେ।
ବେଲାଗାଭି ଜିଲା ଏସପି ଭୀମାଶଙ୍କର ଏସ. ଗୁଲେଡ଼ କହିଛନ୍ତି, “ବେଲାଗାଭି ପୋଲିସର ସୋସିଆଲ ମିଡିଆ ମନିଟରିଂ ଟିମ୍ ମୁରଗୋଡ଼ ପୁଲିସକୁ ଏହି ଭିଡିଓ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ନାବାଳିକାଙ୍କ ପିତାମାତାଙ୍କୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପ୍ରାଥମିକ ତଦନ୍ତରୁ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଥିଲା। କିନ୍ତୁ ପିତାମାତା ସାମାଜିକ କଳଙ୍କ ଓ ଝିଅର ଭବିଷ୍ୟତକୁ ନେଇ ଭୟଭୀତ ଥିବାରୁ ଅଭିଯୋଗ ଦାୟର କରିନଥିଲେ। ପରେ ପୋଲିସ ଏହି ସୂଚନା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)କୁ ପଠାଇଥିଲେ, ଯାହାପରେ କମିଟି ଅଭିଯୋଗ ଦାୟର କରିଥିଲେ ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।”
ପୁନୀତ କେରେହାଲି ତାଙ୍କ ଏକ୍ସ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ମସଜିଦ କର୍ତ୍ତୃପକ୍ଷ ନାବାଳିକାଙ୍କ ପିତାଙ୍କୁ ପୋଲିସ ଅଭିଯୋଗ ଦାୟର ନ କରିବାକୁ ଓ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଧମକ ଦେଇଥିଲେ।
ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶିଶୁ ଯୌନ ଅପରାଧ ନିରୋଧ ଆଇନ (ପୋକ୍ସୋ ଆକ୍ଟ) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


