ସଫା ହେଉଛି ବ୍ୟାସ ସରୋବର ଜଙ୍ଗଲ

ଯାଜପୁର ଅଫିସ,୯ା୬: ଯାଜପୁର ଜିଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ନିକଟସ୍ଥ ମହିମା ମଠକୁ ଲାଗି ରହିଥିବା ଜଙ୍ଗଲ ସଫା ହେବାକୁ ବସିଛି। ଏହି ସହରକୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଥିବାରୁ ବ୍ୟାସ ସରୋବର ଏବଂ ଏହାର ଆଖପାଖ ସରକାରୀ ଜମିରେ ଏକାଧିକ ଅସ୍ଥାୟୀ ଘର ନିର୍ମାଣ ହେଉଥିବାରୁ ଏଭଳି ପରସ୍ଥିତ ସୃଷ୍ଟି ହେଉଛି। ତେଣୁ ବ୍ୟାସ ସରୋବର ଜଙ୍ଗଲର ସୁରକ୍ଷା ଦିଗରେ ଜଙ୍ଗଲ ବିଭାଗ ତତ୍ପରତା ପ୍ରକାଶ କରିବାକୁ ସହରବାସୀ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରର ଲୋକ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି। ଏହାସହ ବାଂଲାଦେଶୀମାନେ ଏହି ସହରକୁ ଆସି ସରକାରୀ ଜମି ଦଖଲ କରିବାରେ ଲାଗିଛନ୍ତି। ସେମାନେ କବାଡ଼ିଆ ଏବଂ ଫେରିବାଲା କାମ କରି ସହରର ପ୍ଲଟ, ଚୂନଭାଟି, ମୁଣ୍ଡୋମାଳ, ଧବଳଗିରି, ସାପଗାଡିଆ, ଚୋରଦା ବାଇପାସ୍‌ ଅଞ୍ଚଳରେ ଆଡ୍ଡା ଜମାଇ ରହୁଛନ୍ତି। ଏମାନଙ୍କ ଅସ୍ଥାୟୀ ଘର ନିର୍ମାଣ କରିବାକୁ ପ୍ରଚୂର ପରିମାଣର କାଠର ଆବଶ୍ୟକତା ରହୁଛି। ଏହିକ୍ରମରେ ବ୍ୟାସସରୋବର ଜଙ୍ଗଲର ସୁରକ୍ଷା ହେଉ ନ ଥିବାରୁ ସେମାନେ ଦିନ ଦ୍ୱିପହରରେ ଗଛ କାଟି ବୋହି ନେଉଛନ୍ତି। ନିକଟରେ ପ୍ରାୟ ୧୦ ଜଣ କାଠ ସହ ଜଙ୍ଗଲ ବିଭାଗ ହାତରେ ଧରାପଡିଥିଲେ ହେଁ ସେମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଛାଡି ଦିଆଯାଇଥିଲା। ଫଳରେ ସେମାନେ ଏବେ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ ମୂଲ୍ୟବାନ ଗଛ କାଟି ନେଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ଜଙ୍ଗଲ ବିଭାଗର ସେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ତେଣୁ ବ୍ୟାସସରୋବର ଜଙ୍ଗଲ ନଷ୍ଟ ହେଲେ ଏହାର ସୌନ୍ଦର୍ଯ୍ୟ ହ୍ରାସ ପାଇବ। ତେଣୁ ଏହି ଜଙ୍ଗଲର ସୁରକ୍ଷା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।