ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୨ା୯: ମଣିଷ ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତପତ୍ର ଅଛନ୍ତି।  ହର ଘର ପାନି, ବସୁଧା, ଜଳ ଜୀବନ ମିଶନ ଆଦି ଯୋଜନା ପ୍ରଣୟନ କରାଯାଇ ପାନୀୟ ଜଳ ସଙ୍କଟର ସମାଧାନ ହେଉଛି । ରାଜନେତା ଓ ପ୍ରଶାସକଙ୍କ ଏପରି ଭାଷଣ ଦେବା ସହିତ ବ୍ୟୟ ଅର୍ଥ ମଞ୍ଜୁରୀକୁ ନେଇ ପ୍ରଚାର ପ୍ରସାର ହେଉଛି । ତେବେ କେନ୍ଦ୍ର ସରକାରଙ୍କ ପ୍ରଥମ ପର୍ଯ୍ୟାୟ ଚିହ୍ନଟ ସମୟରେ ରାଜ୍ୟର ଏକମାତ୍ର ଜଳ ସଙ୍କଟ ଜିଲାର ପରିଚିତି ପାଇଥିବା କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଲାଭ ଉଠାଇବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହିଁ । ଜିଲାର ମୋଟ ୧୫୯୧ ରାଜସ୍ବ ଗ୍ରାମ ମଧ୍ୟରୁ ନିର୍ମାଣାଧୀନ ଓ ପ୍ରସ୍ତାବିତ ୭ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୧୦୦୪ ଗ୍ରାମ ଅଦ୍ୟାବଧି ଉପକୃତ ହୋଇନାହିଁ । ୮୮୬.୨୮ କୋଟି ଟଙ୍କା ଏଥିପାଇଁ ବ୍ୟୟବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି କି ଜଳଜୀବନ ମିଶନ ତଥ୍ୟ ଅନୁଯାୟୀ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ମାତ୍ର ଗୋଟିଏ ଅର୍ଥାତ୍‌ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଶତ ପ୍ରତିଶତ ଘରକୁ ଟ୍ୟାପ ସଂଯୋଗ ହୋଇଛି । ଏହି ଜିଲାରେ ମୋଟ ୩୦୪୭୨୫ ଘର ଅଛି ।

ସେଥିମଧ୍ୟରୁ ୧୫୬୯୦୫ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିବା ଦର୍ଶାଯାଇଛି । ମୋଟ ୧୨୯ ଗ୍ରାମକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଟ୍ୟାପ ସଂଯୋଗ ସମସ୍ୟା ରହିଛି । ଅପରପକ୍ଷେ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୮ରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଏଥିପାଇଁ ମୋଟ ୨୪୧.୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ସେହିପରି ଖରସ୍ରୋତା ପାଣି ବିବାଦ ସୃଷ୍ଟି ହେବାରୁ ରାଜ୍ୟ ସରକାର ୨୦୨୧ରେ ଆଳିର ୧୨୬ ଗଁା ପାଇଁ ୧୧୩.୭୨ କୋଟି ଟଙ୍କା ଓ ରାଜକନିକାରେ ୧୫୬ ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ବ୍ୟୟରେ ଦୁଇ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଗତ ଅଗଷ୍ଟରେ ପଟ୍ଟାମୁଣ୍ଡାଇର ୧୩୮ ଗ୍ରାମ, ରାଜନଗରର ୨୪୯ ଗ୍ରାମ, ଗରଦପୁରର ୧୩୫ ଗ୍ରାମ ଗ୍ରାମ ପାଇଁ ୩ ପ୍ରକଳ୍ପ ହେବ ବୋଲି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ମୋଟ ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସ୍ଥାନୀୟ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୧୩ରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ଡ. ପି.ଏନ. ଗୌରାଙ୍ଗ, ପ୍ରକାଶ କୁମାର ଦାସ, ଆଶିଷ କୁମାର ଦାଶ ପ୍ରମୁଖ କହିଛନ୍ତି, ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାର ସମାଧାନକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଗୁରୁତ୍ୱ ଦେଉନାହାନ୍ତି । ଏହି ଜିଲା ଉପାନ୍ତରେ ଥିବା ୭ ବ୍ଲକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇବା କଷ୍ଟକର ହୋଇଛି । ଲୁଣା ଜଳ ମିଳିବା ସହିତ ଫୋଲାରାଇଡ ପରି ଉପାଦାନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏହାବ୍ୟତୀତ ଏହି ୭ ବ୍ଲକ ଅଞ୍ଚଳର ଭୂତଳ ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଥିବା ଜିଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ମଧୁର ଜଳକୁ ଜିଲାବାସୀଙ୍କ ପାଇଁ ଉପଯୋଗୀ କରାଯାଉ ନାହିଁ । କୋଷ୍ଟାଲ କେନାଲ ଦ୍ୱାରା ନଦୀ ସଂଯୋଗୀକରଣ ମାଧ୍ୟମରେ ଏହାର ବ୍ୟବହାର କରିବା ଆବଶ୍ୟକ । ଜିଲାରେ ଜଳସଙ୍କଟ ଥିବା ବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀର ପାଣିକୁ ଚାନ୍ଦବାଲି ଶିଳ୍ପାଞ୍ଚଳକୁ ପଠାଇବା ପାଇଁ ରାଜ୍ୟ ସରକାର ବ୍ୟସ୍ତ ହୋଇଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଏନ୍‌ଜିଟି ମାମଲା ପାଇଁ ମଣିକୁଣ୍ଡା ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି । ୭ଟି ମଧ୍ୟରୁ ନିର୍ମାଣାଧୀନ ୨ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ସେ ସୂଚନା ଦେଇଛନ୍ତି ।