ନିଆଁରେ ନୁହେଁ ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ…

କୋଟା,୨୫।୧୦: ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ଉପରେ ଆଲୋକର ବିଜୟ। ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ। ରାବଣର କୁଶପତ୍ତଳିକା ମୂର୍ତ୍ତି ପ୍ରସ୍ତୁତ କରି ଅଗ୍ନି ସଂଯୋଗ କରି ଆମେ ବିଜୟର ଉତ୍ସବକୁ ବହୁ ଧୁମଧାମରେ ପାଳନ କରୁ। ଦେଶର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ରାବଣପୋଡି ଉତ୍ସବ ପାଳନ ହୋଇସାରିଛି। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ସ୍ଥାନର ନାଁ କହିବାକୁ ଯାଉଛୁ ଯେଉଁଠି ରାବଣ ପୋଡିର ଭିନ୍ନ ଏଫେ ପରମ୍ପରା ରହିଛି।

ଦଶହରା ଉତ୍ସବ ଉପଲକ୍ଷେ ରାଜସ୍ଥାନର କୋଟାରେ ଏକ ନିଆରା ପରମ୍ପରାରେ ରାବଣପୋଡି କରାଯାଇଥାଏ। କୋଟାର ନାନ୍ତା ଅଞ୍ଚଳରେ, ଦଶହରାରେ ମାଟିର ରାବଣ ତିଆରି କରାଯାଇଥାଏ। ଏବଂ ସେହି ରାବଣକୁ ନିଆଁରେ ନୁହେଁ ପାଦରେ ଦଳି ରାବଣପୋଡିର ପରମ୍ପରା ପାଳନ କରାଯାଏ। ଏହି ପ୍ରଥା ଏଠାରେ ୧୫୦ବର୍ଷ ଧରି ଚାଲିଆସୁଛି। ସହରର ଜେଠି ସମ୍ପ୍ରଦାୟର(ଗୁଜୁରାଟୀ) ଲୋକ ଏହି ପରମ୍ପରାକୁ ପାଳନ କରୁଛନ୍ତି। ସେମାନେ ଆଖଡାରୁ(କୁସ୍ତି କସରତ କରାଯାଉଥିବା ଘର) ମାଟି ନେଇ ରାବଣ ପ୍ରସ୍ତୁତ କରରିଥା’ନ୍ତି। ସେହି ରାବଣକୁ ବିଜୟା ଦଶମୀ ଦିନ ପାଦରେ ଦଳି ବିଜୟର ଉତ୍ସବକୁ ପାଳନ କରିଥା’ନ୍ତି। ଏହି ପରମ୍ପରାକୁ ଦେଖିବାକୁ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଲୋକ କୋଟାକୁ ଆସିଥା’ନ୍ତି।

ସୂଚନାଯୋଗ୍ୟ, ନବରାତ୍ରୀ ସମୟରେ ହିଁ ମାଟିରେ ରାବଣ ନିର୍ମାଣ କରାଯାଏ। ନିର୍ମାଣ ସମୟରେ ଏଥିରେ ୯ଦିନ ଯାଏଁ ବିହନ ବୁଣାଯାଏ। ମାଟିର ଏକ ବଡ ଚଟାଣରେ ରାବଣର ମୁହଁ ତିଆରି କରାଯାଏ। ଦଶହରା ଦିନ ସେହି ମାଟିରେ ଘାସ ଉଠିଯାଇଥାଏ। ସେହି ଛୋଟ ଛୋଟ ଘାସକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରାଯାଏ। ଏହାପରେ ଜେଠି ସମ୍ପ୍ରଦାୟର କୁସ୍ତି ଯୋଦ୍ଧାମନେ ରାବଣ ଉପରେ କୁସ୍ତି ଖେଳିଥା’ନ୍ତି। କୁସ୍ତି ଖେଳିବା ସମୟରେ ରାବଣକୁ ପାଦରେ ଦଳି ନଷ୍ଟ କରାଯାଏ। ଏହି ପରମ୍ପରାରେ ରାବଣକୁ ମୂର୍ତ୍ତିକୁ ପାଦରେ ଦଳିବା ଦ୍ୱାରା ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ବୋଲି ବିବେଚନା କରାଯାଏ।

ଜେଟି ସମ୍ପ୍ରଦାୟର ଲୋକମାନେ ଗୁଜୁରାଟୀ ବ୍ରାହ୍ମଣ ଅଟନ୍ତି ଯେଉଁମାନେ ଗୁଜୁରାଟର ବିଭିନ୍ନ ଅଞ୍ଚଳରୁ ଆସି କୋଟାର ନାନ୍ତା ଅଞ୍ଚଳରେ ବସବାସ କରିଛନ୍ତି। ଜେଟି ସମ୍ପ୍ରଦାୟୀ କୁସ୍ତି ଖେଳିବାକୁ ଭଲପାଆନ୍ତି। ଏହି ଅଞ୍ଚଳରେ ଜେଟି ସମ୍ପ୍ରଦାୟର ପ୍ରାୟ ୧୨୦ ପରିବାର ବାସ କରନ୍ତି। ମୋଗଲ ଶାସନ ସମୟରେ ଜେଟି ସମ୍ପ୍ରଦାୟର କୁସ୍ତିଯୋଦ୍ଧାମାନେ କୁସ୍ତି ଖେଳରେ ମୋଗଲ ରାଜାଙ୍କ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଥିଲେ।

Share