ଦଣ୍ଡନାଚ ରେକର୍ଡ ଡାନ୍ସବେଳେ ଗୋଷ୍ଠୀସଂଘର୍ଷ: ୧୦ ଆହତ

ଭଞ୍ଜନଗର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁ ମହୁଲିଆରେ ରବିବାର ବିଳମ୍ବିତ ରାତିରେ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଗୋଲାପଡ଼ାର ପିକୁନ ପଣ୍ଡା। ତାଙ୍କୁ ଭଞ୍ଜନଗର ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି।
ପ୍ରକାଶ ଯେ, ରାତିରେ ଘୁ .ନୂଆଗାଁର ଦଣ୍ଡନାଚ ଗୋଲାପଡ଼ା ପଞ୍ଚାୟତର ନୂଆଁ ମହୁଲିଆଠାରେ ହେଉଥିଲା। ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଦୁଇଗୋଷ୍ଠୀ ମଞ୍ଚ ଉପରେ ଠେଙ୍ଗାରେ ପିଟାପିଟି ହୋଇଥିଲେ। ଗୋଷ୍ଠୀ ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ଭୟଭୀତ ହୋଇପଡ଼ିଥିଲେ। ସୋମବାର ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ସେ ଫୋନ ନ ଉଠାଇବାରୁ ମତାମତ ନିଆଯାଇପାରିନାହିଁ।
ଏହାପୂର୍ବରୁ ଭଞ୍ଜନଗର ଥାନା ତୁରୁମୁରେ ଗତ ୩୦ ତାରିଖରେ ଏକ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଥାନାରେ ସେ ସମୟରେ କୌଣସି ଅଭିଯୋଗ ହୋଇ ନ ଥିଲା। ଅପରପକ୍ଷେ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନ ହେବାପାଇଁ ଆମ ପୋଲିସ ସମିତି ପକ୍ଷରୁ ଦଣ୍ଡନାଚ କମିଟି କର୍ମକର୍ତ୍ତାମାନଙ୍କୁ ଡାକି ସଚେତନତା କରାଯାଇଥିଲା। କିନ୍ତୁ ଅଧିକାଂଶ କମିଟି ପୋଲିସର ନିର୍ଦ୍ଦେଶକୁ ନ ମାନିବାରୁ ରେକର୍ଡ ଡାନ୍ସରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଉଛି। ଯୁବଗୋଷ୍ଠୀ ଉକ୍ତ ନୃତ୍ୟକୁ ଦେଖିବା ପାଇଁ ପେଲାଠେଲା ହେବାରୁ ତାହା ସଂଘର୍ଷର ରୂପ ନେଉଛି।