ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବନ ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା କରୋନା ମହାମାରୀ ପରେ ଆୟୁର୍ବେଦିକ ଔଷଧର ବ୍ୟବହାର ଓ ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି। ଏହି ଉଦ୍ୟାନ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ବୈଦ୍ୟ ବ୍ୟବହାର କରୁଥିବା ଚେରମୂଳି ଔଷଧ ସହଜରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା ବେଳେ ଏହି ଉଜୁଡ଼ା ଉଦ୍ୟାନ ବୈଦ୍ୟମାନଙ୍କ ଆଶାକୁ ଆଶାରେ ଅଟକାଇ ଦେଇଛି।
ଅନୁଯାୟୀ,୨୦୨୦-୨୧ରେ ହୁଞ୍ଜପଶିଠାରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ଔଷଧୀୟ ଉଦ୍ୟାନ କରାଯାଇଥିଲା। ତାରବାଡ଼ ଓ ଗେଟ୍‌ ଦ୍ୱାରା ଏହାକୁ ଆବଦ୍ଧ କରାଯାଇଥିଲା। ମାତ୍ର ୨ ବର୍ଷ ନ ପୂରୁଣୁ ଔଷଧୀୟ ଉଦ୍ୟାନଟି ଉଜୁଡ଼ିଯାଇଛି। ହାତଗଣତି କେତୋଟି କରଞ୍ଜଗଛକୁ ଛାଡ଼ି ଦେଲେ ଅନ୍ୟ ଗଛ ନ ଥିବା ଦେଖିବାକୁ ମିଳିଛି। ଆବଦ୍ଧ ତାରବାଡ଼ର ଚିହ୍ନବର୍ଣ୍ଣ ନ ଥିଲା ବେଳେ କେବଳ ମୂକସାକ୍ଷୀ ଭାବେ ମୁଖ୍ୟଦ୍ୱାରରେ ଲାଗିଥିବା ଫାଟକ ଠିଆ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନଟି ନଷ୍ଟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଏହି ମୂଲ୍ୟବାନ୍‌ ଉଦ୍ୟାନଟି ନଷ୍ଟାଭିମୁଖୀ ହୋଇ ପଡ଼ିଥିବାରୁ ପରିବେଶପ୍ରେମୀଙ୍କୁୁ ଏହା ବ୍ୟଥିତ କରିଛି। ଏ ସଂକ୍ରାନ୍ତରେ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆଙ୍କୁ ପଚାରିବାରୁ ଏହା ମୋ ସମୟରେ ହୋଇ ନ ଥିଲା ଏବଂ ଏ ବିଷୟରେ ମୋ ପାଖରେ କୌଣସି ଖବର ନାହିଁ। ମାତ୍ର କେଉଁ କାରଣ ପାଇଁ ଏହି ମୂଲ୍ୟବାନ୍‌ ଉଦ୍ୟାନ ଉଜୁଡ଼ିଗଲା ତାହାର ତଦନ୍ତ କରାଯିବା ସହ ଏହାର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ସେହିପରି ବୈତରଣୀ ବୈଦ୍ୟ ସଂଘର ଉପଦେଷ୍ଟା ଡ. ଅବଦୁଲ୍‌ ରହମାନ୍‌ କୁହନ୍ତି, ଔଷଧୀୟ ଉଦ୍ୟାନ ହେବା ଫଳରେ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଖୁସି ଥିଲେ। ଗଛ ଲଗାଇବାରେ ବାହାଦୁରି ନାହିଁ , ତା’ର ରକ୍ଷଣାବେକ୍ଷଣ କରିବା ଉଚିତ। ତାରବାଡ଼ ସହ ସବୁଜବାଡ଼ କରାଯାଇ ଏହାର ପୁନରୁଦ୍ଧାର କରାଯିବା ଆବଶ୍ୟକ। ସେହିପରି ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ପରିବେଶପ୍ରେମୀ ରମାକାନ୍ତ ପ୍ରଧାନଙ୍କ ମତ ଅନୁସାରେ ଏହି ଔଷଧୀୟ ଉଦ୍ୟାନ ସ୍ଥାନୀୟ ଅଞ୍ଚଳର ବୈଦ୍ୟ ଓ ପରିବେଶପ୍ରେମୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଦେଇଥିଲା। ମାତ୍ର ଦୁଃଖର ବିଷୟ, ଉଦ୍ୟାନଟି ନଷ୍ଟ ହୋଇଯାଇଛି। ଏହାର ପୁନରୁଦ୍ଧାର ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦାୟିତ୍ୱ ପ୍ରଦାନ କରାଗଲେ ଭଲ ହୁଅନ୍ତା।