ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିରକୁ ଜେସିବି ଲଗାଇ ଭାଙ୍ଗିଥିଲା। ଏହାକୁ ବିରୋଧ କରି ଶୁକ୍ରବାର ନୂଆପଡା ଜିଲାର ମହିମା ଧର୍ମାବଲମ୍ବୀ ଅନୁଗାମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ହେମାକାନ୍ତ ସାଏଙ୍କ ଜରିଆରେ ୫ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୧୮୨୬ରୁ ୧୮୩୦ ମଧ୍ୟରେ ମହିମା ସ୍ବାମୀଙ୍କ ପ୍ରଥମ ଶିଷ୍ୟ ସିଦ୍ଧ ସାଧୁ ବଡ କୃପାସିନ୍ଧୁ ବାବା ନିର୍ମାଣ କରି ସେଠାରେ ପୂଜା ଅର୍ଚ୍ଚନା କରିବା ସହ ଯୋଗ ଓ ଧ୍ୟାନ କରି ଆସୁଥିଲେ। ତାଙ୍କ ଦେହାନ୍ତ ପରେ ତାଙ୍କ ଶିଷ୍ୟମାନେ ସେବା ଓ ପୂଜା ନିର୍ବାହ କରି ଆସୁଥିଲେ। ଯୋରନ୍ଦାରେ ଥିବା ବକ୍କଳଧାରୀ ବାବା ସହିତ କୌପିନ ଧାରୀ ବାବା ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟ ନେଇ ମାମଲା କୋର୍ଟରେ ବିଚାରାଧୀନ ଥିବା ଢେଙ୍କାନାଳ ପ୍ରଶାସନ ଅବଗତ ଥିବା ସତ୍ତ୍ୱେ କୋର୍ଟ ଆଦେଶକୁ ଦ୍ୱାହିଦେଇ କୌପିଧାରୀ ବାବାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତରବରିଆ ଭାବେ ଶତାଧିକ ପୁରୁଣା ମନ୍ଦିର, ବତୀ ମନ୍ଦିର, ଭେକ ମନ୍ଦିର ଓ ଉପାସନା ପୀଠକୁ ନଭେମ୍ବର ୨୨ରେ ବୋଲ୍ଡୋଜର ଲଗାଇ ଧୂଳିସାତ କରିଦେଇଛି। ପ୍ରଶାସନର ଏଭଳି ବେଆଇନ, ଅମାନବୀୟ ଓ ଏକପାଖିଆ ଆଚରଣ ମହିମା ଧର୍ମ ପିପାସୁ ହଜାର ହଜାର ସାଧୁ ଭକ୍ତଙ୍କୁ ଗଭୀର ଆଘାତ ଦେଇଛି। ଭବିଷ୍ୟତରେ ଗାଦି ମହିମା ଧାମରେ ଯେକୌଣସି ପ୍ରକାର ନିର୍ମାଣ ପାଇଁ ଉଭୟ ପକ୍ଷରେ ସହମତି ଭିତିରେ କରିବାକୁ ଉଭୟ ପକ୍ଷଙ୍କଠାରୁ ସ୍ବୀକୃତି ନିଆଯାଉ ବୋଲି ଗଗନ ବିହାରୀ ବାବା, ରାଜକୁମାର ବାବା, କ୍ଷେତ୍ର ମୋହନ ଭକ୍ତ, ଭୋଲେଶ୍ୱର ଭକ୍ତ, ଭକ୍ତବନ୍ଧୁ ଭକ୍ତ ପ୍ରମୁଖ ଦାବି କରିଛନ୍ତି।