ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର, ଆଗାମୀ ଦିନରେ ତେଜିବ ଆନ୍ଦୋଳନ

ଜାମଟିକ୍ରା,୯।୧(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଅଧୀନ ମନାପଡା ଝୁପୁଡ଼ିପଡାର ୩୫ ଭୂମିହୀନ, ଆଦିବାସୀ, ଓବିସି ଓ ଦଳିତ ପରିବାର ଏବଂ କେନାଲ ପଡ଼ାର ୩୧ ଭୂମିହୀନ ପରିବାର ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ସରକାରୀ ଜାଗାରେ ବସବାସ କରିଆସୁଛନ୍ତି। ନିଜସ୍ବ ଜାଗା ନ ଥିବାରୁ ସେମାନେ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିପାରୁନାହାନ୍ତି। ଏଥିପାଇଁ ସେମାନେ ସ୍ଥାୟୀ ପଟ୍ଟା ଏବଂ ଆବାସ ଯୋଜନାରେ ସାମିଲ ପାଇଁ ଅତାବିରା ତହସିଲଦାର ରଞ୍ଜନ ଦାସଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲା କମିଟି ତରଫରୁ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ, ଜିଲା ସଭାପତି ଗୋବିନ୍ଦ ବରିହା, ଅତାବିରା ବ୍ଲକ ସଭାପତି ଭୂଷଣ ବିଶ୍ବାଳ, ତ୍ରିଲୋଚନ ଭୁଏ, ନିରଞ୍ଜନ ବାର୍ଲା, ରାଧାକାନ୍ତ ମେହେର ଏବଂ ମନାପଡ଼ା ଗ୍ରାମର ଅଭିଯୋଗକାରୀ ମହିଳାପୁରୁଷ ଉପସ୍ଥିତ ଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ସଂଘ ଚେତାବନୀ ଦେଇଛି।
-ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ମନାପଡାବାସୀ।