ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସ୍ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଯାଉଛି। ଗତ ୬ ତାରିଖରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ ସିଜେପି ପକ୍ଷରୁ କରାଯାଇଥିବା ବିକ୍ଷୋଭରେ ବହୁସଂଖ୍ୟାରେ ଛାତ୍ରୀଛାତ୍ର ଓ ଅଭିଭାବକ ଯୋଗ ଦେଇଥିଲେ। ସରକାରଙ୍କୁ ପ୍ରଶ୍ନ କରିବାକୁ ଭାରତୀୟ ଯୁବବର୍ଗ ଭୟ କରୁନାହାନ୍ତି ବୋଲି ଉକ୍ତ ବିକ୍ଷୋଭରେ ସାମିଲ ହୋଇଥିବା ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍କେ କହିଥିଲେ। ଧର୍ମେନ୍ଦ୍ର ପ୍ରଧାନ ୭ ଦିନ ମଧ୍ୟରେ ଇସ୍ତଫା ନ ଦେଲେ କିମ୍ବା ତାଙ୍କୁ ବରଖାସ୍ତ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ତଦନୁଯାୟୀ ଗୁରୁବାରଠାରୁ ସାରା ଦେଶରେ ସିଜେପି ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ସତ୍ତ୍ୱେ ଯଦି ଶିକ୍ଷାମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ଜୁନ୍ ୨୦ରୁ ଯନ୍ତରମନ୍ତରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସିଜେପି କହିଛି।
ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ଆକାଉଣ୍ଟ ଭାବେ ଆରମ୍ଭ ହୋଇଥିବା ସିଜେପି ଗତ ସପ୍ତାହର ଯନ୍ତରମନ୍ତର ବିକ୍ଷୋଭ ପରେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଗୁରୁବାର ସିଜେପି ପୁଣେରେ ବିକ୍ଷୋଭ କରିବାକୁ ଥିବାବେଳେ ଏହା ପରେ ଲକ୍ଷ୍ନୌ, ଅମୃତସର, ବେଙ୍ଗାଲୁରୁ, ଜୟପୁର ଏବଂ ହାଇଦ୍ରାବାଦ ଆଦି ସହରରେ ବିକ୍ଷୋଭ କରାଯିବ ବୋଲି ଦଳ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।