Categories: ଜାତୀୟ

ଅଭିଜିତ ଦୀପ୍‌କେ କଲେ ବଡ଼ ଘୋଷଣା: ନଭେମ୍ବର ୧ରେ…ଛାନିଆ ହେଲେ ସରକାର!

ନୂଆଦିଲ୍ଲୀ, ୨୮।୧୦: ଇଣ୍ଡିଆ ମେଣ୍ଟର ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ରାଲିକୁ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମର୍ଥନ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, କକ୍ରୋଚ ଜନତା ପାର୍ଟି ନଭେମ୍ବର ୧ରେ ହେବାକୁ ଥିବା ଇଣ୍ଡିଆ ବ୍ଲକ୍‌ର ରାଲିକୁ ସମର୍ଥନ କରୁଛି।

ନିଜ ପୋଷ୍ଟରେ ସେ ଆହୁରି କହିଛନ୍ତି, ଜ୍ଞାନୁ (ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର)ଙ୍କୁ ଯିବାକୁ ହିଁ ପଡ଼ିବ। ଦେଶ ସବୁଠାରୁ ଉପରେ।”

ବୁଧବାର (୨୮ ଅକ୍ଟୋବର, ୨୦୨୬) ଅଭିଜିତ ଦୀପକେ କକ୍ରୋଚ ଜନତା ପାର୍ଟି (CJP) ପକ୍ଷରୁ ଜାରି ହୋଇଥିବା ଏକ ଆନୁଷ୍ଠାନିକ ବିବୃତିକୁ ଏକ୍ସରେ ଶେୟାର କରିଥିଲେ। ଏହି ବିବୃତିରେ ନଭେମ୍ବର ୧ରେ ହେବାକୁ ଥିବା ଇଣ୍ଡିଆ ବ୍ଲକ୍‌ର ରାଲିକୁ ସମର୍ଥନ ଘୋଷଣା କରାଯାଇଛି।
ବିବୃତିରେ ଅଭିଜିତ ଦୀପକେ କହିଛନ୍ତି, ଗଣତନ୍ତ୍ରର ମୂଳ ସିଦ୍ଧାନ୍ତ ହେଉଛି, ଜନସାଧାରଣ ନିଜ ସରକାର ବାଛିବେ, ସରକାର ନିଜ ମତଦାତାଙ୍କୁ ବାଛିବ ନାହିଁ। SIR ମାଧ୍ୟମରେ ଏହି ମୂଳ ସିଦ୍ଧାନ୍ତକୁ ଦୁର୍ବଳ କରାଯାଉଥିବାରୁ ଜ୍ଞାନେଶ କୁମାର ସ୍ବାଧୀନ ଓ ନିରପେକ୍ଷ ନିର୍ବାଚନର ତଦାରଖ କରିବା ପାଇଁ ଆବଶ୍ୟକ ଜନବିଶ୍ୱାସ ହରାଇଛନ୍ତି। ତେଣୁ ନିର୍ବାଚନ ଆୟୋଗର ବିଶ୍ୱସନୀୟତା ଓ ସ୍ବାଧୀନତାକୁ ପୁନଃସ୍ଥାପନ କରିବା ପାଇଁ ତାଙ୍କର ଇସ୍ତଫା ଜରୁରୀ।

ସେ ଆହୁରି କହିଛନ୍ତି, ଡକ୍ଟର ବି.ଆର୍‌. ଆମ୍ବେଦକର ଭାରତର ସମ୍ବିଧାନ ଗଠନରେ ନିଜର ଅବଦାନ ଦେବା ସମୟରେ ଏହା ସୁନିଶ୍ଚିତ କରିଥିଲେ ଯେ ଦେଶର ପ୍ରତ୍ୟେକ ବୟସ୍କ ନାଗରିକ ଜାତି, ଧର୍ମ, ଲିଙ୍ଗ, ଶିକ୍ଷା କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ସମାନ ଭାବେ ଭୋଟ ଦେବାର ଅଧିକାର ପାଇବେ। ସେ ବୁଝିଥିଲେ ଯେ ଦେଶର ଭବିଷ୍ୟତ ନିର୍ଦ୍ଧାରଣରେ ପ୍ରତ୍ୟେକ ନାଗରିକଙ୍କ ସମାନ ଭାଗିଦାରୀ ରହିଲେ ହିଁ ଗଣତନ୍ତ୍ର ସଫଳ ହୋଇପାରିବ। ଏହା ପଛରେ ଥିବା ଚିନ୍ତାଧାରା ଅତ୍ୟନ୍ତ ସରଳଗଣତନ୍ତ୍ରରେ ଯଥାସମ୍ଭବ ଅଧିକ ନାଗରିକଙ୍କୁ ସାମିଲ କରିବା, ସେମାନଙ୍କୁ ଏଥିରୁ ଦୂରେଇ ରଖିବା ନୁହେଁ।

 

Dharitri – Odisha’s No.1 Odia Daily

Share