CJPକୁ ଟକ୍କର ଦେବାକୁ ଆସିଲା ‘ଲାଲ୍ ହିଟ୍ ଜନତା ପାର୍ଟି’, ଜାଣନ୍ତୁ କଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୧୯।୧୦: ‘ଲାଲ୍ ହିଟ୍ ଜନତା ପାର୍ଟି’ (LHJP) ନାମରେ ଏକ ନୂଆ ଗୋଷ୍ଠୀ ସାମ୍ନାକୁ ଆସିଛି । ‘କକରୋଚ୍ ଜନତା ପାର୍ଟି’ (CJP)ର ଆନ୍ଦୋଳନକୁ ବିରୋଧ କରିବା ଏହି ଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ବର୍ତ୍ତମାନ CJP ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବା ସହ ତାଙ୍କ ଇସ୍ତଫା ଦାବି କରୁଛି । ଏହି ପରିପ୍ରେକ୍ଷୀରେ LHJP ପକ୍ଷରୁ ଅକ୍ଟୋବର ୧୮ ତାରିଖରେ ନୂଆଦିଲ୍ଲୀର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମାର୍ଗସ୍ଥିତ ମାଲବୀୟ ସ୍ମୃତି ଭବନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସୁରକ୍ଷା, ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାର୍ବଜନୀନ ପ୍ରତିବାଦରେ ଦାୟିତ୍ୱପୂର୍ଣ୍ଣ ଭାବେ ଭାଗ ନେବା ଉପରେ ଏହି ଗୋଷ୍ଠୀର ପ୍ରତିନିଧିମାନେ ଗୁରୁତ୍ୱ ଦେଇଥିଲେ।

ଗୋଷ୍ଠୀର ସଂଯୋଜକ ଅୟାନ ଭଟ୍ଟନାଗରଙ୍କ ସହ ଚଳଚ୍ଚିତ୍ର ନିର୍ମାତା ଋଚା ଗୁପ୍ତା, ପବନ ନାଗପାଲ ଏବଂ ଅତୁଲ ଗଙ୍ଗୱାର ଏହି ସଭାକୁ ସମ୍ବୋଧିତ କରିଥିଲେ। ଯୁବପିଢ଼ି, ବିଶେଷକରି ଜେନ୍‌ ଜି (Gen Z) ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ତଥ୍ୟଭିତ୍ତିକ ଆଲୋଚନା ଏବଂ ଆଇନଗତ ଉପାୟ ମାଧ୍ୟମରେ ନିଜ ମତ ରଖିବାକୁ ଏହି ଗୋଷ୍ଠୀ ଆହ୍ୱାନ ଦେଇଛି। ଏହାର ମୂଳମନ୍ତ୍ର ହେଉଛି ‘ରାଷ୍ଟ୍ର ସର୍ବୋପରି, ସମ୍ବିଧାନର ସମ୍ମାନ, ଗଣତନ୍ତ୍ର ଆମର ପରିଚୟ।’

ଗୋଷ୍ଠୀର ନାମ ଏକ କୀଟନାଶକ ବ୍ରାଣ୍ଡକୁ ବ୍ୟଙ୍ଗାତ୍ମକ ଭାବେ ସୂଚାଉଥିବା ମନେ ହେଉଛି । ଏହା CJPର ନାମକରଣ ଶୈଳୀ ସହ ମଧ୍ୟ ସମାନତା ରଖୁଛି। ଅୟାନ ଭଟ୍ଟନାଗର କହିଛନ୍ତି ଯେ, ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ବରଂ CJPର ପ୍ରତିବାଦକୁ ବିରୋଧ କରିବା ପାଇଁ ଏହି ସଂଗଠନ ଗଠନ କରାଯାଇଛି । ତାଙ୍କ ଅଭିଯୋଗ ଅନୁଯାୟୀ, ଏଭଳି ଆନ୍ଦୋଳନ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିବା ସହ ବାଣିଜ୍ୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି । LHJPର ବକ୍ତାମାନେ ଦାବି କରିଛନ୍ତି ଯେ, ଦିଲ୍ଲୀର ବାଣିଜ୍ୟିକ ଅଞ୍ଚଳରେ ଚାଲିଥିବା ପ୍ରତିବାଦ ଯୋଗୁଁ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ବିଶେଷକରି ପାର୍ବଣ ସମୟରେ କିଣାବିକା ଉପରେ ଏହାର ପ୍ରଭାବ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ମଧ୍ୟ ଭଟ୍ଟନାଗର ସମାଲୋଚନା କରିଛନ୍ତି । କେବଳ ଏକ ଗୋଷ୍ଠୀ ବଡ଼ ଜନସମାଗମ କରିପାରୁଛି ବୋଲି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ଉପରେ ଚାପ ପକାଇବା ଉଚିତ୍ ନୁହେଁ ବୋଲି ସେ ମତ ରଖିଛନ୍ତି। LHJP ଅଭିଯୋଗ କରିଛି ଯେ କେତେକ ପ୍ରତିବାଦକାରୀ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଛନ୍ତି। ଏଥିସହ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଅଧିକ ସମ୍ମାନ ଦେବାକୁ ଗୋଷ୍ଠୀ ପକ୍ଷରୁ ଆହ୍ୱାନ କରାଯାଇଛି । କେବଳ ସୋସିଆଲ୍ ମିଡିଆ ଅଭିଯାନରେ ସୀମିତ ନରହି, ସାମ୍ବିଧାନିକ ନୀତିକୁ ସମ୍ମାନ ଦେଇ ସାର୍ବଜନୀନ ଜୀବନରେ ସକ୍ରିୟ ଭାଗ ନେବାକୁ ନାଗରିକମାନଙ୍କୁ LHJPର ପ୍ରତିନିଧିମାନେ ଅନୁରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

Share