ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ ଥାନାରେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ସିଜେପିର ଆୟୋଜକମାନଙ୍କ ବିରୋଧରେ ପୋକ୍ସୋ ଆଇନର ଧାରା ୧୩, ୧୪ ଓ ୧୫ ସହ ବିଏନଏସ୍ର ଧାରା ୧୫୩ ଅନୁଯାୟୀ ଏଫଆଇଆର୍ ରୁଜୁ କରିଛନ୍ତି। ଏହା ପୂର୍ବରୁ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଫୈଜାନ ଅନସାରୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରି କହିଥିଲେ ଯେ, ଦୀପକେଙ୍କ ସମର୍ଥକମାନେ ପୁଣେ ଏବଂ ଔରଙ୍ଗାବାଦରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଫୈଜାନ ଏହି ଘଟଣାକୁ ନେଇ ଦିଲ୍ଲୀ ଡିସିପିଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ଏଭଳି ସମସ୍ତ ପ୍ରମାଣ ରହିଛି, ଯାହାରୁ ଜଣାପଡ଼େ ଯେ ଅଭିଜିତ ଦୀପକେଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଆହୁରି କହିଛନ୍ତି ଯେ, ଉଭୟ ଘଟଣାକୁ ନେଇ ପୂର୍ବରୁ ଦୁଇଟି ମାମଲା ରୁଜୁ ହୋଇସାରିଛି ଏବଂ ବର୍ତ୍ତମାନ ସେ ଦିଲ୍ଲୀ ପୋଲିସ ନିକଟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇନ୍ଫ୍ଲୁଏନ୍ସରଙ୍କ ଅଭିଯୋଗ ଅନୁଯାୟୀ, ଅଭିଜିତ ଦୀପକେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି କାର୍ଯ୍ୟକଳାପ କରୁଛନ୍ତି। ସେ ଦୀପକେଙ୍କ ଗିରଫ ଦାବି ମଧ୍ୟ କରିଛନ୍ତି।