ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି ଲୋକ ଭାରତରେ ଗଣତାନ୍ତ୍ରିକ ପରିବେଶ ଏବଂ କଥିତ ରୂପେ ଅସହମତିର ସ୍ବରକୁ ଚପାଇ ଦିଆଯାଉଥିବା ନେଇ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଭାରତୀୟ ହାଇକମିଶନ (ଉଚ୍ଚାୟୋଗ) କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ସାର୍ବଜନୀନ ଆଲୋଚନାର ମର୍ଯ୍ୟାଦା ବିରୁଦ୍ଧ ବୋଲି କହିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୁନ ୪ ତାରିଖରେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ତର୍ଜାତୀୟ ଆଇନ’ ବିଷୟ ଉପରେ ବକ୍ତବ୍ୟ ଦେବା ପାଇଁ ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ପହଞ୍ଚିଥିଲେ। ତାଙ୍କ ସମ୍ବୋଧନ ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖାଯାଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତି ଭାରତରେ ଅସହମତି ପ୍ରତି ବଢୁଥିବା କଥିତ ଅସହିଷ୍ଣୁତାର ପ୍ରସଙ୍ଗ ଉଠାଇଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଏହା କହୁଥିବାର ଦେଖାଯାଉଛନ୍ତି ଯେ, ଭାରତ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ଆଇନଗତ ପର୍ଯ୍ୟବେକ୍ଷକ ଦେଶରେ ଅସହମତି ପ୍ରତି ବଢୁଥିବା ଶତ୍ରୁତା ଭାବ ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ଧାରା ପ୍ରଧାନ ବିଚାରପତିଙ୍କ ଭାଷଣରେ ମଧ୍ୟ ପ୍ରତିଫଳିତ ହେଉଛି।
ଏହି ସମୟରେ, ମହିଳା ଜଣକ CJIଙ୍କୁ “କକ୍ରୋଚ” ଏବଂ “ପରଜୀବୀ” ବିଷୟରେ ତାଙ୍କର ସାମ୍ପ୍ରତିକ ମନ୍ତବ୍ୟ ବିଷୟରେ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ। ହେଲେ, କାର୍ଯ୍ୟକ୍ରମର ଆୟୋଜକମାନେ ଏହା କହି ପ୍ରଶ୍ନ ଗ୍ରହଣ କରିବାକୁ ମନା କରିଦେଇଥିଲେ। କାରଣ କାର୍ଯ୍ୟକ୍ରମର ବିଷୟବସ୍ତୁ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆନ୍ତର୍ଜାତୀୟ ଆଇନ’ ଅଟେ, ତେଣୁ ସେଥିସହିତ ଜଡ଼ିତ ନଥିବା (ଅପ୍ରାସଙ୍ଗିକ) ପ୍ରଶ୍ନଗୁଡ଼ିକୁ ସାମିଲ କରାଯିବ ନାହିଁ।
ଏହି ଘଟଣା ପରେ ଭାରତୀୟ ଉଚ୍ଚାୟୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି କରିବାକୁ ଚେଷ୍ଟା କରିବା ଗ୍ରହଣୀୟ ନୁହେଁ। ଉଚ୍ଚାୟୋଗ କହିଛନ୍ତି ଯେ ଗଣତାନ୍ତ୍ରିକ ସମାଜରେ ମତଭେଦ ରହିବା ସ୍ବାାଭାବିକ, କିନ୍ତୁ ସେଗୁଡ଼ିକୁ ସଭ୍ୟ ଏବଂ ସମ୍ମାନଜନକ ଢଙ୍ଗରେ ପ୍ରକାଶ କରାଯିବା ଉଚିତ୍।