ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି…

ଇସଲାମବାଦ,୫।୧୧ : ପାକିସ୍ତାନରେ ଗୃହଯୁଦ୍ଧର ପରିସ୍ଥିତି ଉପୁଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରକାର ଏବଂ ସେନା ବିରୋଧରେ ସାରା ଦେଶରେ ହିଂସା ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ୱାଜିରାବାଦରେ ପୋଲିସର କଠୋର କାର୍ଯ୍ୟକଳାପରେ ୧୪ ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସିନ୍ଧ, ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଇମ୍ରାନଙ୍କୁ ବିପୁଳ ସମର୍ଥନ ମିଳୁଛି। ଏହି ପ୍ରଦେଶଗୁଡ଼ିକରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଲାହୋର, ଫୈଜାବାଦ, ଫୈସଲାବାଦ ସମେତ ଅନେକ ସହରରେ ଇମ୍ରାନ ସମର୍ଥକମାନେ ଟାୟାର ଜାଳି ପୋଲିସ ଉପରକୁ ପଥର ଫିଙ୍ଗିଛନ୍ତି। ଏହାର ଜବାବରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଚଳାଇଥିଲା ଏବଂ ପରେ ଅନେକ ସ୍ଥାନରେ ଗୁଳି ଚାଳନା ମଧ୍ୟ ହୋଇଥିଲା।

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସାଧାରଣ ସମ୍ପାଦକ ଆସାଦ ଉମର କହିଛନ୍ତି ଯେ ଇମ୍ରାନ ଏହି ଆକ୍ରମଣକୁ ଭୟ କରୁନାହାଁନ୍ତି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ସେମାନଙ୍କର ଦାବି ଗ୍ରହଣ ନହେବା ପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ। ତେବେ ଏହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share