ସୁଡାନରେ ଗୃହଯୁଦ୍ଧ: ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ…

ଖାର୍ତୁମ,୧୫।୪ : ପାରାମିଲିଟାରୀ ଫୋର୍ସ ଏବଂ ଦେଶର ସେନା ମଧ୍ୟରେ କିଛି ଦିନ ଧରି ତିକ୍ତତା ପରେ ସୁଦାନର ରାଜଧାନୀ ଖାର୍ତୁମରେ ବନ୍ଧୁକ ଫୁଟିବା ଓ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସହରର ମଧ୍ୟଭାଗରେ ଥିବା ସେନା ମୁଖ୍ୟାଳୟ ନିକଟରେ ଗୁଳି ବିନିମୟ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ଓ ଗୁଳି ବିନିମୟ ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଛି। ଦେଶରେ ଏହା ଯୋଗୁ ଏକ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି।
ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) କହିଛି ଯେ ଏହା ବିମାନବନ୍ଦରକୁ ନିୟନ୍ତ୍ରଣ କରିଛି। ଏହାପୂର୍ବରୁ ଏହା କୁହାଯାଇଥିଲା ଯେ ଖାର୍ତୁମର ଦକ୍ଷିଣରେ ଥିବା ଏହାର ଏକ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଥିଲା। ଏଥିସହିତ ସେନା କହିଛି ଯେ ଆରଏସଏଫ ଯୁଦ୍ଧବିମାନ ସେନା ମୁଖ୍ୟାଳୟକୁ କାବୁ କରିବାକୁ ଚେଷ୍ଟା କରୁଛି।

ସେନା ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ନାବିଲ ଅବଦଲ୍ଲା କହିଛନ୍ତି ଯେ ରାପିଡ ସପୋର୍ଟ ଫୋର୍ସର ସଂଗ୍ରାମୀମାନେ ଖାର୍ତୁମ ଏବଂ ସୁଦାନର ଅନ୍ୟାନ୍ୟ ସ୍ଥାନରେ ଅନେକ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ସଂଘର୍ଷ ଚାଲିଛି ଏବଂ ଦେଶର ସୁରକ୍ଷା ପାଇଁ ସେନା ନିଜର କର୍ତ୍ତବ୍ୟ କରୁଛି। ଉତ୍ତର ମେରୋଭ ସହରରେ ଗୁଳି ବିନିମୟ ହୋଇଛି। ଆଲାରାବିଆ ଟିଭି ସେଠାରେ ଥିବା ଏକ ସାମରିକ ଶିବିରରୁ ଧୂଆଁ ଉଠୁଥିବା ଚିତ୍ର ପ୍ରସାରଣ ରଏଟର୍ସ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

Share