ଆମେରିକାରେ ଗୃହଯୁଦ୍ଧ-ଏଲନ ମସ୍କ ହେବେ ରାଷ୍ଟ୍ରପତି: ଦିମିତ୍ରିଙ୍କ ଭବିଷ୍ୟବାଣୀ…

ମସ୍କୋ,୨୭।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୨୦୨୩ ଫେବୃୟାରୀରେ, ଏହି ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ। ଏପରିସ୍ଥଳେ ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଡଭେଡେଭ ୨୦୨୩ ପାଇଁ ଏକ ଅଦ୍ଭୁତ ଭବିଷ୍ୟବାଣୀ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିକଟତମ ଥିବା ଦିମିତ୍ରି ୧୦ଟି ଭବିଷ୍ୟବାଣୀ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ନୂଆ ବର୍ଷ ଅବସରରେ ସମସ୍ତେ ପୂର୍ବାନୁମାନ କରୁଛନ୍ତି। ଅନେକ ଲୋକ ଅସାଧାରଣ ଭବିଷ୍ୟବାଣୀ କରୁଥିବାବେଳେ କେତେକ ମନଗଢ଼ା କଥା କହୁଛନ୍ତି। ସେ କହିଛନ୍ତି ଯେ ପୋଲାଣ୍ଡ ଏବଂ ହଙ୍ଗେରୀ ପଶ୍ଚିମ ଅଞ୍ଚଳକୁ ଦଖଲ କରିବେ ଯାହା ଏକଦା ୟୁକ୍ରେନର ଅଂଶ ଥିଲା।

ଉତ୍ତର ଆୟର୍ଲାଣ୍ଡ ୨୦୨୩ରେ ବ୍ରିଟେନ ଠାରୁ ଅଲଗା ହୋଇ ରିପବ୍ଲିକ ଅଫ ଆୟର୍ଲାଣ୍ଡରେ ଯୋଗ ଦେବ। ଦିମିତ୍ରୀଙ୍କ ପ୍ରଥମ ଟୁଇଟ ତୈଳ ମୂଲ୍ୟ ବିଷୟରେ ଥିଲା ଯାହା ଯଦି ସତ ହୁଏ ତେବେ ବିଶ୍ୱ ପାଇଁ ଏକ ବଡ ସଙ୍କଟ ସୃଷ୍ଟି ହେବ। ସେ କହିଛନ୍ତି, ତେଲ ଦର ବ୍ୟାରେଲ ପିଛା ୧୫୦ ଡଲାରରେ ପହଞ୍ଚିବ। ବ୍ରିଟେନ ପୁଣିଥରେ ୟୁରୋପୀୟ ୟୁନିଅନରେ ଯୋଗଦେବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

ବ୍ରିଟେନ ୟୁରୋପୀୟ ସଂଘରେ ଯୋଗଦେବା ମାତ୍ରେ ୟୁରୋପୀୟ ୟୁନିଅନ ଭାଙ୍ଗିଯିବ। ୟୁରୋପୀୟ ୟୁନିଅନର ମୁଦ୍ରା ୟୁରୋ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜର୍ମାନୀ, ପୋଲାଣ୍ଡ, ବଲଟିକ ରାଜ୍ୟ, ଚେକ, ସ୍ଲୋଭାକିଆ, କାଇଭ ରିପବ୍ଲିକ ଏବଂ ଅନ୍ୟମାନେ ଏକାଠି ହୋଇ ନାଜି ସାମ୍ରାଜ୍ୟର ବୃଦ୍ଧି ଘଟାଇବେ। ସେମାନେ ମିଳିତ ଭାବେ ଫ୍ରାନ୍ସ ସହିତ ଲଢ଼ିବେ। ୟୁରୋପ ଏହା ଦ୍ୱାରା ବିଭକ୍ତ ହେବ। ୩୧ ଜାନୁୟାରୀ ୨୦୨୦ ରେ ବ୍ରିଟେନ ଏକମାତ୍ର ଦେଶ ଭାବେ ୟୁରୋପୀୟ ୟୁନିଅନ ଛାଡିଥିଲା।

ଦିମିତ୍ରି ଏକ ଅଦ୍ଭୁତ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ। ସେ ଟୁଇଟ କରି କହିଛନ୍ତି, ଆମେରିକାର କାଲିଫର୍ନିଆରେ ଗୃହଯୁଦ୍ଧ ଆରମ୍ଭ ହେବ। ଫଳସ୍ବରୂପ, ଟେକ୍ସାସ ଏକ ସ୍ବାଧୀନ ରାଜ୍ୟ ହେବ। ମେକ୍ସିକୋ ଏବଂ ଟେକ୍ସାସର ମିଶ୍ରଣ ହୋଇ ଏକ ନୂତନ ରାଜ୍ୟ ଗଠନ ହେବ। ଆମେରିକାର ଅଧିକାଂଶ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନରେ ଏଲୋନ ମସ୍କ ଜିତିବେ। ଏଲୋନ ମସ୍କ ରାଷ୍ଟ୍ରପତି ହେବା ମାତ୍ରେ ଗୃହଯୁଦ୍ଧ ଶେଷ ହେବ। ଏହା ସହିତ ସେ କହିଛନ୍ତି ଯେ ବିଶ୍ୱର ସମସ୍ତ ପ୍ରମୁଖ ଷ୍ଟକ ମାର୍କେଟ ଏବଂ ଅର୍ଥନୈତିକ କେନ୍ଦ୍ର ଆମେରିକା ଏବଂ ୟୁରୋପରୁ ଏସିଆକୁ ସ୍ଥାନାନ୍ତରିତ ହେବେ।

Share