ସିଟିଭେନି ରାବୁକା ଫିଜିର ନୂଆ ପ୍ରଧାନମନ୍ତ୍ରୀ

ସୁଭା,୨୫।୧୨: ୧୯୮୭ରେ ଦୁଇଟି ବିଦ୍ରୋହର ନେତୃତ୍ୱ ନେଇଥିବା ପୂର୍ବତନ ସାମରିକ ଅଧିକାରୀ ସିଟିଭେନି ରାବୁକା ଶନିବାର ଫିଜିର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମେଣ୍ଟ ସରକାର ଆଗାମୀ ୪ ବର୍ଷ ପାଇଁ କ୍ଷମତାରେ ରହିବ। ପାର୍ଲାମେଣ୍ଟର ପ୍ରଥମ କାର୍ଯ୍ୟଦିବସରେ ପିପୁଲ୍ସ ଆଲିଆନ୍ସ ପାର୍ଟି ନେତା ରାବୁକାଙ୍କୁ ୨୮ ଖଣ୍ଡ ଭୋଟ ମିଳିଥିବାବେଳେ ଫିଜି ଫାଷ୍ଟ ପାର୍ଟି (ଏଫ୍‌ଏଫ୍‌ପି) ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଭୋରେକେ ବୈନିମାରାମାଙ୍କୁ ୨୭ ଖଣ୍ଡ ଭୋଟ ମିଳିଥିଲା। ଗତ ୧୪ ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ଏଫ୍‌ଏଫ୍‌ପିକୁ ୨୬ ଆସନ ମିଳିଥିବାବେଳେ ପିପୁଲ୍ସ ଆଲିଆନ୍ସ ପାର୍ଟି ୨୧ ଆସନରେ ବିଜୟୀ ହୋଇଥିଲା। ଏହାର ସହଯୋଗୀ ନ୍ୟାଶନାଲ ଫେଡେରେଶନ ପାର୍ଟି ୫ ଏବଂ ସୋସିଆଲ୍‌ ଡେମୋକ୍ରାଟିକ୍‌ ଲିବେରାଲ ପାର୍ଟି ୩ ଆସନ ପାଇଥିଲା। ଫିଜିରେ ସରକାର ଗଢ଼ିବାକୁ ହେଲେ ୫୫ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଅନୂ୍ୟନ ୨୮ ଆସନରେ ଜିତିବାକୁ ପଡ଼ିବ।

Share