ପୌର ଦୁର୍ନୀତି ପ୍ରମୁଖ ଅଭିଯୁକ୍ତ ଗିରଫ

ଢେଙ୍କାନାଳ,୪ା୧୦(ରତନ ନାୟାର)ଢେଙ୍କାନାଳ ପୌର ସଂସ୍ଥାରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କା ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସହକାରୀ ଟ୍ୟାକ୍ସ କଲେକ୍ଟର ସନ୍ତୋଷ କୁମାର ରାଉଳ ଗିରଫ ହୋଇଛନ୍ତି। ଗତ ୧ ତାରିଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ହାଇଦ୍ରାବାଦସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଢେଙ୍କାନାଳ ପୌର ସଂସ୍ଥାରେ ବିଭିନ୍ନ ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପ ପାଇଁ ଠିକା ସଂସ୍ଥା ପକ୍ଷରୁ ଜମା କରାଯାଇଥିବା ଅମାନତ ଟଙ୍କା, ଆଲୋକୀକରଣ ପାଇଁ ଠିକା ସଂସ୍ଥାକୁ ଦେବାକୁ ଥିବା ଟଙ୍କା, ହୋଲଡିଂ ଟ୍ୟାକ୍ସ ରିସିପ୍ଟ ହଡପ କରିଥିବା ଆଦିକୁ ନେଇ ହୋଇଥିବା ଦୁର୍ନୀତି ଅଡିଟ୍‌ ସମୟରେ ଧରାପଡ଼ିଥିଲା। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଅଡିଟ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏ ସଂକ୍ରାନ୍ତରେ ନୂତନ ନିର୍ବାହୀ ଅଧିକାରୀ ରାଜ୍ୟ ସରକାରଙ୍କୁ ଜଣାଇବା ପରେ କଟକ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଭିଜିଲାନ୍ସ ଅଧିକାରୀମାନେ ଏ ସଂକ୍ରାନ୍ତୀୟ ଫାଇଲ ଜବତ କରି ଯାଞ୍ଚ କରିଥିଲେ। ଏ ନେଇ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ନମ୍ବର ୨୯/୧୫ା୯ା୨୦୨୩ ରେ ମାମଲା ରୁଜୁ କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇଯାଇଥିଲେ। ଏପରି କି ଭିଜିଲାନ୍ସକୁ ଚକ୍‌ମା ଦେବାକୁ ନିଜ ମୋବାଇଲ ଫୋନର ୬ଟି ସିମ୍‌ ବଦଳାଇଥିଲେ। ତେବେ ଭିଜିଲାନ୍ସ ହାତରେ ସନ୍ତୋଷ ଧରାପଡ଼ିବା ପରେ ଢେଙ୍କାନାଳ ପୌରସଂସ୍ଥାର କର୍ମଚାରୀ ଏବଂ ତତ୍‌କାଳୀନ କେତେଜଣ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।