Categories: ଜାତୀୟ

ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିପାରିବେ ନାଗରିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୩(ପି.ଟି.):ରାଷ୍ଟ୍ରର ଯେକୌଣସି ନିଷ୍ପତ୍ତିକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସମାଲୋଚନା କରି ହ୍ବାଟ୍ସଆପ୍‌ରେ ମେସେଜ୍‌ ପୋଷ୍ଟ କରିଥିବା ଜଣେ ପ୍ରଫେସରଙ୍କ ବିରୋଧରେ ମାମଲାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେବା ଅବସରରେ ଏହା କହିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ପ୍ରଫେସର ଜାଭେଦ ଅହମଦ ହାଜମ ‘ଅଗଷ୍ଟ ୫ ଜମ୍ମୁ-କଶ୍ମୀର ପାଇଁ କଳାଦିବସ’ ବୋଲି ଲେଖିବା ସହ ଅଗଷ୍ଟ ୧୪ ପାକିସ୍ତାନ ସ୍ବାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ। ମହାରାଷ୍ଟ୍ର ପୋଲିସ ତାଙ୍କ ବିରୋଧରେ ଧାରା ୧୫୩ଏ (ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା)ରେ ମାମଲା ରୁଜୁ କରିଥିଲା। କୌଣସି ଦେଶର ସ୍ବାଧୀନତା ଦିବସରେ ସେଠାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ଅଧିକାର ସମସ୍ତଙ୍କର ରହିଛି। ପାକିସ୍ତାନର ସ୍ବାଧୀନତା ଦିବସରେ ସେଠାର ନାଗରିକଙ୍କୁ କୌଣସି ଭାରତୀୟ ଶୁଭେଚ୍ଛା ଜଣାଇବାରେ କିଛି ଭୁଲ୍‌ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୯(୧)(ଏ)ରେ ବାକ୍‌ ସ୍ବାଧୀନତାର ଅଧିକାର ସମସ୍ତଙ୍କୁ ଦିଆଯାଇଛି। ଏହି ଗ୍ୟାରେଣ୍ଟି ବଳରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେଉ କି ସରକାରଙ୍କ ଯେକୌଣସି ନିଷ୍ପତ୍ତି, ଏହାକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଥିବା ଜଷ୍ଟିସ୍‌ ଅଭୟ ଏସ. ଓକା ଏବଂ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।

Share