Categories: ଜାତୀୟ

ସିନେମାଟୋଗ୍ରାଫ ସଂଶୋଧନ ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୭(ପି.ଟି.):ସିନେମାଟୋଗ୍ରାମ୍‌ (ସଂଶୋଧନ) ବିଲ୍‌ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ସିନେମା କାହାଣୀର ନକଲ ରୋକିବା ଏବଂ ଲାଇସେନ୍ସ ପ୍ରକ୍ରିୟାର ସରଳୀକରଣ ଏହି ବିଲ୍‌ର ଉଦ୍ଦେଶ୍ୟ। ଭାରତ କଥାକାରମାନଙ୍କ ଦେଶ ହୋଇଥିବାରୁ ଏହା ବିଶ୍ୱର ବିଷୟବସ୍ତୁଗୁଡ଼ିକର କେନ୍ଦ୍ର ହେବା ଆବଶ୍ୟକ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଅବସରରେ କହିଛନ୍ତି। ଦ୍ରୁତ ବଢ଼ୁଥିବା ଚଳଚ୍ଚିତ୍ର ଶିଳ୍ପକୁ ଦକ୍ଷ ଶ୍ରମଶକ୍ତି ଯୋଗାଇଦେବା ଲାଗି ସରକାର ଖୁବ୍‌ଶୀଘ୍ର ଆନିମେଶନ, ଭିଜୁଆଲ ଇାଫେକ୍ଟସ୍‌, ଗେମିଂ ଓ କମିକ୍ସ(ଏଭିଜିସି) ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବେ ବୋଲି ବିଲ୍‌ ଉପରେ ଆଲୋଚନା ବେଳେ ଉତ୍ତର ରଖିଥିଲେ ଅନୁରାଗ। ସଂକ୍ଷିପ୍ତ ଆଲୋଚନା ପରେ ବିଲ୍‌ଟି ବାଚନିକ ଭୋଟରେ ଗୃହୀତ ହୋଇଥିଲା। ଏହାକୁ ଲୋକ ସଭାର ଅନୁମୋଦନ ପାଇଁ ପଠାଯିବ। ତେବେ ବିଲ୍‌ ଆଗତ ବେଳେ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

Share